ଭୁବନେଶ୍ବର,୧୬/୦୬: ଭୁବନେଶ୍ବର ମହାନଗର ନିଗମର ବୈଭବ କେନ୍ଦ୍ର ଟିଟିଏସ୍ ଠାରେ ବି.ଏମ୍. ସି ପକ୍ଷରୁ ଯାକଜମକରେ ପାଳିତ ହୋଇଛି ଭିନ୍ନ ସ୍ଵାଦର ରଜ ମହୋତ୍ସବ । ଏହି ମହୋତ୍ସବରେ ମେୟର ସୁଲୋଚନା ଦାସ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ସ୍ଥାନୀୟ କର୍ପୋରେଟର ଜୟନ୍ତି ସାହୁ, କର୍ପୋରେଟର ଭାରତୀ ସିଂ ଏବଂ ପାଖାପାଖି ୧୫୦ ସଫେଇ କର୍ମଚାରୀ ସାମିଲ୍ ହୋଇଥିଲେ ଏବଂ ରଜ ଯାହାକି ମୁଖ୍ୟତଃ ମହିଳା ମାନଙ୍କ ପାଇଁ ପାଳନ କରାଯାଏ ସେ ପରିପ୍ରେକ୍ଷୀରେ ଆଜି ସମସ୍ତ ମହିଳା ସଫେଇ କର୍ମଚାରୀଙ୍କୁ ଛୁଟି ଦିଆଯାଇଥିଲା। ନିକଟରେ ହୋଇଥିବା ବିମାନ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍ଗତି ଏବଂ ସେମାନଙ୍କ ପରିବାରକୁ ଧୈର୍ଯ୍ୟ ଦେବାପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ପୋଡ ପିଠା ପ୍ରସ୍ତୁତ କରି, ମେହେନ୍ଦି ଓ ଅଳତା ଲଗାଇ ଏବଂ ପାନ ଖାଇ ସମସ୍ତେ ରଜ ସଂକ୍ରାନ୍ତି ପାଳନ କରିଥିଲେ ଓ ଦୋଳିରେ ଝୁଲିଥିଲେ । ଉପସ୍ଥିତ ଥିବା ମେୟର ଏବଂ କର୍ପୋରେଟର ଏଥିରେ ସାମିଲ୍ ହୋଇଥିଲେ । ପରେ ପରେ ନାଚ,ପୁଚି ଓ ଖେଳରେ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା । ସଫେଇ କର୍ମୀଙ୍କ ପାଇଁ ରଜ ଏକ ନିଆରା ପ୍ରୟାସ । ଆମ ସହରକୁ ସଫା ରଖିବାରେ ସେମାନଙ୍କ ଅବଦାନର ମହତ୍ତ୍ୱକୁ ଟଙ୍କାରେ ଭରଣା କରିହେବ ନାହିଁ । ପାରିଶ୍ରମିକ ସାଙ୍ଗକୁ ସେମାନଙ୍କ ମାନବିକ ସ୍ଥିତିକୁ ସମ୍ମାନ ଦେବା ଏକ ସାମୁହିକ ଦାୟିତ୍ଵ । ଏଥିପାଇଁ ବି.ଏମ୍ .ସି ସେମାନଙ୍କୁ ନେଇବିଭିନ୍ନ ଗୋଷ୍ଠୀ କାର୍ଯ୍ୟକ୍ରମ ଯାହାକି, ବଡ଼ା ଖାନା,ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି ଆୟୋଜନ କରିଥାଏ । ଆଜି ଆମେ ରଜ ପର୍ବକୁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛୁ । ଏହାକୁ ଆମେ ସମସ୍ତେ ନିଜ ଅଞ୍ଚଳରେ କରିଲେ ସେମାନଙ୍କ ତ୍ୟାଗ ର ପ୍ରକୃତ ଉପହାରଟିଏ ଦେଇପାରିବା ବୋଲି କହିଛନ୍ତି ।