ବୋଲଗଡ଼,୧୪/୦୬(ପିପିଟି):ରଜ ହେଉଛି ଓଡ଼ିଶାର ଏକ ଗଣପର୍ବ। ଏହି ପର୍ବ ଆସିଲେ ଗାଁ ଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅ ମାନଙ୍କର ଏହିପର୍ବ ଆନନ୍ଦ ଦାୟକ ସେଥିପାଇଁ ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ତିନି ଦିନ ଧରି ପାଳନ କରାଯାଉଥିବା ରଜପର୍ବର ପହିଲି ଦିବସରେ ବୋଲଗଡ଼ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ବୋଲଗଡ଼ର ଗ୍ରାମାଞ୍ଚଳରେ ଉତ୍ସବ ମୁଖର ହୋଇ ଉଠିଛି । ଏ ଅବସରରେ ଶିଶୁ ଠାରୁ ଆରମ୍ଭ କରି କୁଆଁରୀ ଓ ବିବାହିତା ଯୁବତୀମାନେ ନୂତନ ପୋଷାକ ପରିଧାନ କରି ସାଙ୍ଗସାଥିଙ୍କ ମେଳରେ ଗୀତ ଗାଇ ଦୋଳି ଖେଳର ଆନନ୍ଦ ଉପଭୋଗ କରିବା ସହ ପରସ୍ପରକୁ ବିଭିନ୍ନ ପ୍ରକାର ପିଠାପଣାରେ ଆପ୍ୟାୟିତ କରି ମଜା ନେଉଛନ୍ତି । ଏଥି ସହ ରଜ ମଉଜ କାଳରେ ମିଠା ପାନର ଚାହିଦା ବୃଦ୍ଧି ପାଇଥିବା ବେଳେ ବିଶେଷକରି ଗ୍ରାମାଞ୍ଚଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡା କୌତୁକର ଆସର ମଧ୍ୟ ଦେଖିବାକୁ ମିଳିଛି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।