ଭଞ୍ଜନଗର, ୨୧/୧୧(ପିପିଟି): ଚଳିତ କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥିରେ ଭଞ୍ଜନଗର ମୁଖ୍ୟ ରାସ୍ତାର ଲୋହରାଖଣ୍ଡି ନଦୀର ବାମ ପାର୍ଶ୍ୱରେ ଥିବା ରଘୁନାଥ ମନ୍ଦିର ପରିସରରେ ଦଶରଥ ନନ୍ଦନ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ସହ ଜନକ ନନ୍ଦିନୀ ସୀତା ଦେବୀଙ୍କ ଶୁଭ ବିବାହ ଉତ୍ସବ ବେଶ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଦଶରଥ ମହାରାଜା ରୂପେ ଶଙ୍କର ନାରାୟଣ ପାତ୍ର ଓ ଜନକ ମହାରାଜା ଭାବେ ବାବୁଲା ସେନାପତି ଦାୟିତ୍ୱ ସମ୍ପନ୍ନ କରିଥିଲେ।ଯଥା ରୀତିନୀତି ଅନୁସାରେ ନିର୍ଦ୍ଧାରିତ ସମୟରେ ବାଟ ବରଣ, ହସ୍ତଗ୍ରନ୍ଥି,ହୋମଯଜ୍ଞ ଓ ବନ୍ଦାଣ କାର୍ଯ୍ୟ ଆଦି ସମାପନ ହୋଇଥିଲା।ଏହାପରେ ଏକ ସୁସଜ୍ଜିତ ରଥରେ ବାଜା ବଜଣା ସହ ବିରାଟ ଶୋଭାଯାତ୍ରାରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତାଙ୍କୁ ସହର ପରିକ୍ରମା କରାଯାଇଛି।ଏଥିରେ ଭଞ୍ଜନଗର ବିଜ୍ଞାପିତ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମାଜସେବୀ ଶୂଳପାଣି ଶତପଥୀଙ୍କ ସମେତ ସ୍ଥାନୀୟ ବହୁ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)