ଭଞ୍ଜନଗର, ୦୧/୦୭(ପିପିଟି):ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଆଜି ରୋଟାରୀ କ୍ଳବ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରୋଟାରୀ କ୍ଳବ ଭଞ୍ଜନଗରର ସଭାପତି ଭାବେ ରଞ୍ଜିତ କୁମାର ବାରିକ ଏବଂ ସମ୍ପାଦକ ଭାବେ ଗୁପ୍ତେଶ୍ୱର ପାତ୍ର ଜୁଲାଇ ୧ ତାରିଖରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହ୍ରହଣ କରିଛନ୍ତି। ଏଥି ସକାଶେ ଦିନ ତମାମ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠାନ ହାତକୁ ନେଇଛି।କର୍ମକର୍ତ୍ତାମାନେ ଭୋର ସମୟରେ ବିଭିନ୍ନ ମନ୍ଦିରରେ ଦର୍ଶନ କରିବା ପରେ ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ମେଡିକାଲ ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଶିବିର କୁ ଉଦଘାଟନ କରିଥିଲେ। ପ୍ରଥମ ରକ୍ତଦାତା ଭାବେ ରୋଟାରୀଆନ ପ୍ରଦୁମ୍ନ କୁମାର ମଲ୍ଲିକ ରକ୍ତଦାନ କରିଛନ୍ତି। ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନର ବହୁ ସ୍ବେଛାସେବୀ ମାନେ ରକ୍ତଦାନ କରିବା ସହ ଶିବିର ରେ ସହଯୋଗ କରିଥିଲେ। ଭଞ୍ଜନଗର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଆଇନଜୀବି ସନ୍ତୋଷ ତିଆଡ଼ି, ଡାକ୍ତର ଗୋବିନ୍ଦ ମହାପାତ୍ର ଙ୍କ ସମେତ ଭଞ୍ଜନଗର ରୋଟାରି କ୍ଳବର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ। ରକ୍ତଦାନ ଶିବିରର କ୍ଳବ ଇନଚାର୍ଜ କେ. ଶଙ୍କର ନାରାୟଣ ପାତ୍ର ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)