ଭଞ୍ଜନଗର, ୨୪/୦୨(ପିପିଟି ):ଜଣେ ୫ବର୍ଷର ଛୋଟ ଶିଶୁ ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇ ଗତ ଦୁଇ ଦିନ ହେଲା ରକ୍ତ ଟିକେ ପାଇଁ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ଏଭଳି ସ୍ଥିତିରେ ଖବର ପାଇ ସହାୟତାର ହାତ ବଢ଼େଇଛନ୍ତି ଭଞ୍ଜନଗର ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ।ଯାହା ଫଳରେ ଏହି ଛୋଟ ନିଷ୍ପାପ ଶିଶୁଟିର ଜୀବନ ବଞ୍ଚି ଯାଇଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ।ସୂଚନା ଅନୁସାରେ ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ଗିରିଜା ନାୟକ ଓ ସନ୍ତୋଷିନୀ ନାୟକଙ୍କ ୫ବର୍ଷର ଶିଶୁପୁତ୍ର ରୋମିଓ ଗତ ଦୁଇ ଦିନ ହେଲା ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ କାରଣରୁ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗିରିଜା ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଘରେ ଥିବା ତାଙ୍କ ବୃଦ୍ଧା ମାଆ ଓ ପତ୍ନୀ ସନ୍ତୋଷିନୀ ରୋମିଓର ଚିକିତ୍ସା ପାଇଁ ଚିନ୍ତିତ ଥିଲେ। ରୋମିଓକୁ ପ୍ରଥମ ଦିନ ଭଞ୍ଜନଗର ମେଡ଼ିକାଲ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାର ତରଫରୁ ଗୋଟିଏ ୟୁନିଟ ରକ୍ତ ପ୍ରଦାନ କରାଯାଇଥିଲା।ପୁଣି ଆଉ ଏକ ୟୁନିଟ ରକ୍ତର ଆବଶ୍ୟକତା ଥିବା ବେଳେ ତାର ମାଆ ସନ୍ତୋଷିନୀ ୨ଦିନ ହେଲା ରକ୍ତ ଯୋଗାଡ଼ରେ ଲାଗି ପଡ଼ିଥିଲେ।ହେଲେ ସଫଳ ହୋଇ ନଥିଲେ।ଏହାକୁ ନେଇ ସେ ଚିନ୍ତିତ ଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ନିଜ ଶିଶୁପୁତ୍ରର ଅସୁବିଧା ସମ୍ପର୍କରେ ଭଞ୍ଜନଗର ସହରର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କୁ ନିଜ ଦୁଃଖ ଜଣାଇଥିଲେ ସଙ୍ଗେ ସଙ୍ଗେ ଶ୍ରୀ ପଟ୍ଟନାୟକ ଆସି ରକ୍ତଦାନ କରିଥିଲେ।ଏହାଦେଖି ସନ୍ତୋଷିନୀ ପ୍ରତି ବଦଳରେ ସାମ୍ବାଦିକ ଶ୍ରୀ ପଟ୍ଟନାୟକଙ୍କୁ ଏଭଳି ସାହାଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଏଥି ପୂର୍ବରୁ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ମୋଟ ୭୮ଜଣଙ୍କୁ ରକ୍ତଦାନ କରିଛନ୍ତି।ଯାହାକୁ ନେଇ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଶ୍ରେଷ୍ଠ ରକ୍ତଦାତା ଭାବେ ପୁରସ୍କୃତ ହୋଇଛନ୍ତି।ଏତଦ୍ ବ୍ୟତୀତ ଶ୍ରୀ ପଟ୍ଟନାୟକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ମେଡ଼ିକାଲ ରେ ପହଞ୍ଚାଇବା ଭଳି କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି।ଏଥିସହ ସେ ଜଣେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ ମଧ୍ୟ ରାଜ୍ୟରେ ଖ୍ୟାତି ଅର୍ଜନ କରିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)