ଯେଉଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ସେହି ସ୍କୁଲର ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ମାନ୍ୟବର ମନ୍ତ୍ରୀ।

0 155

ପୋଲସରା,୦୪/୦୪ (ପିପିଟି) : ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୦୪ ତାରିଖରେ ସମଗ୍ର ରାଜ୍ୟର ବିଦ୍ୟାଳୟ ଗୁଡିକରେ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହେଉଅଛି। ଏଥିସହ ଏପ୍ରିଲ ୦୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳନ ହେଉଅଛି। ଏପ୍ରିଲ ୦୪ ତାରିଖ ଉଭୟ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଅଟେ। ମତ୍ସ୍ୟ ଓ ପ୍ରାଣୀ ସମ୍ପାଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିଜ ଗ୍ରାମ ହେଉଅଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଘୋଳପୁର। ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଗ୍ରାମର ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ଏପ୍ରିଲ ୦୪ ତାରିଖ ଦିନ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଗ୍ରାମୀଣ ପୋଷାକ ମଠା ଧୋତି ଓ ଧଳା ଗଞ୍ଜି ପରିଧାନ କରି ଏବଂ ତଉଲିଆ କାନ୍ଧରେ ପକାଇ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ। ତଳେ ବସି କୁନି ଶିଶୁମାନଙ୍କୁ କୋଳରେ ବସାଇ ବିଦ୍ୟାଳୟରେ ଖଡ଼ିଛୁଆଁର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀଙ୍କୁ ଗ୍ରାମ ଲୋକଙ୍କ ପୋଷାକରେ ନିଜ ବିଦ୍ୟାଳୟରେ ଅତି ନିକଟରୁ ପାଇଁ ଛାତ୍ରଛାତ୍ରୀମାନେ ଖୁବ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ ନିକଟରେ ଛୁଆଙ୍କ ଅଭିଭାବକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପ୍ରଧାନ, ସହକାରୀ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ, ଗୌରାଙ୍ଗ ପ୍ରଧାନ ଓ ପ୍ରଦୀପ କୁମାର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.