ଭଞ୍ଜନଗର, ୦୪/୧୨(ପିପିଟି):ଯୁବ ସାମ୍ବାଦିକ ଜଗନ୍ନାଥ ନାୟକଙ୍କ ଅକାଳ ବିୟୋଗରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସଂଘର ସଭାପତି ଅମରେନ୍ଦ୍ର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭଞ୍ଜନଗର ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ସ୍ବର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୟୁଜେଏର ସଦସ୍ୟମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ପରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଉପସଭାପତି ଭବାନୀ ଶଙ୍କର ପାଳ, ସମ୍ପାଦକ ରାଜେଶ କୁମାର ପଣ୍ଡା, ସହ ସମ୍ପାଦକ ମନୋଜ କୁମାର ଗୌଡ଼, ବ୍ଲକ ସଂଯୋଜକ ଧନଞ୍ଜୟ ପଟ୍ଟନାୟକ,କୋଷାଧ୍ୟକ୍ଷ ଅରକ୍ଷିତ ପରିଛା,ନିଲୁ ବିଷୋୟୀ, ଗିରିସ ସାହୁ, ସନ୍ତୋଷ ପ୍ରଧାନ, ଅନୀଲ ସେଠୀ,ଲୋକନାଥ ମହାନ୍ତି ଉପସ୍ଥିତ ଥିଲେ। ଏକ ଦୈନିକ ଖବରକାଗଜରେ ଦୀର୍ଘଦିନ ହେବ ବେଲଗୁଣ୍ଠା ବ୍ଲକ ପ୍ରତିନିଧି ଭାବେ ଯୁବ ସାମ୍ବାଦିକ ଜଗନ୍ନାଥ ନାୟକ କାର୍ଯ୍ୟରତ ଥିଲେ।ତାଙ୍କ ନିଜ ଘର ଗାଙ୍ଗପୁର ନିକଟ ଖଇର ପୁଟି ଗ୍ରାମରେ ହୋଇଥିବା ବେଳେ ସେ ଗୋପାଳପୁର ଠାରେ ରହି ବ୍ୟବସାୟ କରୁଥିଲେ। ରବିବାର ଦିନ ତାଙ୍କର ମୃତଦେହ ଗୋପାଳପୁର ଠାରେ ଏକ ଭଡାଘରୁ ଉଦ୍ଧାର କରାଯାଇଛି।ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି।ହେଲେ ଏହି ଘଟଣା ପରେ ପରିବାର ଲୋକ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ -(ଜେ. କେ ପଟ୍ଟନାୟକ)