ଯାଜପୁର,୨୦/୦(ପିପିଟି): ଦିନ ଅସହାୟ ଓ ବୁଲା ଗାଈ ଗୋରୁ
ଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଯାଜପୁର ର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀଙ୍କ ଦ୍ଵାରା ପ୍ରାଣୀ ସହାୟତା ପାଇଁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୁଲା ତଥା ଅସହାୟ ଗୋରୁ ତଥା ଆକସ୍ମିକ ଦୁର୍ଘଟଣାର ଶିକାର ହେଉଥିବା ପ୍ରାଣୀ ମାନଙ୍କୁ ସଠିକ ସମୟରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଗୋଶାଳା ପ୍ରେରଣ କରାଯିବାର ବ୍ୟବସ୍ଥା ମଧ୍ୟ କରାଯିବ ।ଏହି ସେବା ୨ ଟି ପର୍ଯ୍ୟାୟ ଯଥା ସକାଳ ୬ ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ଓ ପୁଣି ଦିନ ୨ ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଉପଲବ୍ଧ ହେବ। ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ଡାକ୍ତର , ଜଣେ ପ୍ରାଣୀଧନ ସହାୟକ,ଜଣେ ଆଟେଣ୍ଡାଣ୍ଟ ଓ ଜଣେ ଡ୍ରାଇଭର୍ ରହିବେ। ଏହି ସେବା କେବଳ ଯାଜପୁର ପୌରପାଳିକା ଅଞ୍ଚଳରେ ହିଁ ଉପଲବ୍ଧ ହେବ। ଏହି ସେବାର ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସୁବ୍ରତ ମହାପାତ୍ର, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ( ପ୍ରାଣୀ କଲ୍ଯାଣ) ଡାଃ ଅନିରୁଦ୍ଧ ବିଶ୍ଵାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡାଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ( ପ୍ରାଣୀ ପାଳନ) ଡାଃ ରଞ୍ଜିତ ସାହୁ , ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡାଃ ବିଜୟ କୁମାର ସାହୁ ଓ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ମହାପାତ୍ର ଏହି ସେବା ର ଭରପୁର ଲାଭ ଉଠାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଓ ଏହି ସେବା ପାଇବା ପାଇଁ ୧୯୬୨ ଟୋଲ ଫ୍ରି ନମ୍ବର କୁ ଯୋଗାଯୋଗ କରିପାରିବେ । ସେ ଆହୁରି ମଧ୍ଯ କହିଥିଲେ ଯେ ପ୍ରାଣୀ ମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କରିବା ପାଇଁ ଖୁବ୍ ଶୀଘ୍ର ପୌରପାଳିକା କୁ ଏକ ପ୍ରାଣୀ ଉଦ୍ଧାରକାରୀ ଯାନ ଯୋଗାଇ ଦିଆଯିବ।