ଯାଜପୁର,୧୬/୧୧(ପିପିଟି) : ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୪ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା କହିଲେ ଗଣମାଧ୍ୟମ ବନ୍ଧୁ ମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ଦିନ। ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ ପରେ ଜାତୀୟ ପ୍ରେସ ଦିବସ ସାରା ଭାରତ ବର୍ଷରେ ପାଳିତ ହୋଇ ଆସୁଛି। ୧୯୯୯ ମହାବାତ୍ୟା ସମୟରେ ଆମେ ସଚେତନ ନଥିବାରୁ ଧନ ଜୀବନ କ୍ଷତି ହୋଇଥିଲା । ବାତ୍ୟା ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଆପଣମାନଙ୍କ ମାଧ୍ୟମରେ ଆମେ ସଚେତନ ଓ ସଜାଗ ହୋଇପାରୁଛୁ। ସମାଜର ବିକାଶ ପଥରେ ଗଣମାଧ୍ୟମର ଅବଦାନ ରହିଛି। ସତ୍ୟର ଅନୁସନ୍ଧାନ ପୂର୍ବକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ସମସ୍ତ ପ୍ରତିନିଧିଙ୍କୁ ପ୍ରେସ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସମ୍ବାଦ ପରିବେଷଣରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସତ୍ୟ ଓ ମତାମତ ଆଧାରିତ ସକାରାତ୍ମକ ସମ୍ବାଦ ପରିବେଷଣ ଉପରେ ମତ ବ୍ୟକ୍ତ କରିଥିଲେ । ସାମାଜିକ ଗଣମାଧ୍ୟମ ଆସିଲା ପରେ ମୋବାଇଲ ଥିବା ଯେକୌଣସି ବ୍ୟକ୍ତି ଖବରର ସଠିକ୍ ବିଶ୍ଳେଷଣ ନ କରି ସମ୍ବାଦ ପରିବେଷଣ କରୁଛନ୍ତି। ଯାହାକି ସମାଜ ପାଇଁ କ୍ଷତିକାରକ। ଗଣମାଧ୍ୟମର ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ରହିଛି। ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଗଣ ମାଧ୍ୟମର ସହଯୋଗରେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ। ବାତ୍ୟା,ବନ୍ୟା,ଦୁର୍ଘଟଣା,ମାଲିମୋକଦ୍ଦମାରେ ଖବର ସାମ୍ବାଦିକଙ୍କ ଜରିଆରେ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରୁଛି । ନିର୍ଭୀକ ଓ ସତ୍ୟ ସମ୍ବାଦ ଉପସ୍ଥାପନ କରିବାକୁ ମତ ରଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମଙ୍କୁ ଜାଗ୍ରତ ପ୍ରହରୀ ହିସାବରେ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପ୍ରଶାସନିକ କଳକୁ ସହଯୋଗ ରଖନ୍ତି ଏବଂ ଗଠନ ମୂଳକ ସମାଲୋଚନା କରିଥାନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମ୍ବାଦ ପରିବେଷଣର ପ୍ରତିଯୋଗିତା ବଢ଼ି ଯାଇଛି । ଯାଜପୁର ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ରାଜୀବ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଆମେ ମୁଦ୍ରଣ ଗଣମାଧ୍ୟମ ଯୁଗରୁ ଡିଜିଟାଲ ଗଣମାଧ୍ୟମ ଯୁଗରେ ପହଞ୍ଚିପାରିଛୁ। ନିରପେକ୍ଷତା ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ “ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ” ପ୍ରସଙ୍ଗରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କୈଳାସ ନାୟକ,ସମରଜିତ୍ ମହାନ୍ତି, ସମରବିଜୟ ଶରଣ,ସନ୍ଦିପ୍ତ ରାୟ, ଚନ୍ଦ୍ର ଶେଖର ସାହୁ,ତରୁଣ ନନ୍ଦ ଓ ସୁଜିତ୍ ମଲ୍ଲିକ ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ । ଜାତୀୟ ପ୍ରେସ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ ପ୍ରକୋଷ୍ଠକୁ ଜିଲ୍ଲାପାଳ ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଯାଜପୁର ପ୍ରେସ କ୍ଲବ୍ ସଭାପତି ରାଜୀବ ମହାନ୍ତି ଓ ସମସ୍ତ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ସାମ୍ବାଦିକା ପ୍ରବକ୍ତା ପ୍ରିୟଦର୍ଶିନୀ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।