ଯାଜପୁର,୨୧/୧୧(ପିପିଟି):ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଯାଜପୁର ର ବ୍ୟାସନଗର ଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏକତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଆୟୋଜିତ ଏହି ପଦଯାତ୍ରାଟି କାଳିମେଳଣ ପଡିଆ ଠାରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ ଟାଉନ ହଲ ଠାରେ ଶେଷ ହୋଇଥିଲା।
ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଆଜିର ଏହି ପବିତ୍ର ଦିବସ ଅବସରରେ ଆମେ ସମସ୍ତେ ପୁନଶ୍ଚ ଏକତ୍ର ହୋଇଛୁ ଭାରତର ଲୌହ ମାନବ ରାଷ୍ଟ୍ର ଏକତାର ଶିଳ୍ପି, ସ୍ୱତନ୍ତ୍ର ଭାରତର ସଂଘଠନ ରୂପକର୍ତ୍ତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ସ୍ଵାଧୀନ ଭାରତର ପ୍ରଥମ ଗୃହ ମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ। ସେ ସର୍ବଦା ଅଖଣ୍ଡ ଭାରତର ସ୍ବପ୍ନ ଦେଖିଥିଲେ। ସର୍ଦ୍ଦାର ପଟେଲ ସମଗ୍ର ଭାରତକୁ ଏକଜୁଟ କରି କିପରି ଅଖଣ୍ଡ ଭାରତ କରିବେ ସେ କଥା ଚିନ୍ତା କରୁଥିଲେ। ୧୯୪୭ ମସିହାରେ ଦେଶ ସ୍ଵାଧୀନ ହେଲା ପରେ ସମସ୍ତ ଗଡ଼ଜାତ ରାଜ୍ୟକୁ ଏକାଠି କରି ଅଖଣ୍ଡ ଭାରତ ବନେଇଥିଲେ। ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଆମକୁ ଏହାଇ ଶିଖାଏ ଜାତିର ଉନ୍ନତି ଳୋକଙ୍କ ସମାନ ଅଂଶଗ୍ରହଣରେ ନିହିତ।
ଉକ୍ତ ଦିବସରେ ଯୋଗଦେଇ ବିଧାୟକ କୋରେଇ ଆକାଶ ଦାସନାୟକ କହିଲେ ଆଜିର ଏହି ଅବସର ଆମ ସମସ୍ତଙ୍କ ପାଇଁ ଅସାଧାରଣ ଗର୍ବ ଓ ପ୍ରେରଣାର ଦିନ। ଆଜିର ଏହି ପବିତ୍ର ମାଟିରେ ଆୟୋଜିତ ଏକତା ପଦଯାତ୍ରା ମାଧ୍ୟମରେ ଆମେ ଭାରତର ଲୌହ ମାନବଙ୍କ ଅବଦାନକୁ ମନେ ପକାଇବା। ସାରା ଭାରତ ବର୍ଷରେ ତାଙ୍କର ଯାହା ଅବଦାନ ଥିଲା ତାହା ଥିଲା ଅତୁଳନୀୟ। ସ୍ୱାଧୀନତା ସଂଗ୍ରାମ ପରେ ଛୋଟ ଛୋଟ ପ୍ରିନ୍ସଲି ଷ୍ଟେଟ ର ମିଶ୍ରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତାଙ୍କର ପ୍ରୟାସରେ ହିଁ ଏସବୁ ସମ୍ଭବ ହୋଇପାରିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅମର ଆତ୍ମା ପାଇଁ ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା। ଆଜିର ଦିନରେ ଆମେ ଶପଥ ନେବା ସାରା ଭାରତ ବର୍ଷରେ ଯେପରି ବିଛିନତାବାଦକୁ ରୋକିବା। ଅଖଣ୍ଡ ଭାରତକୁ ବଞ୍ଚାଇବା ନିମନ୍ତେ ଆମକୁ ସଚେତନ ହେବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବାକୁ ପଡ଼ିବ। ଜୀବନରେ ସଫଳ ହେବା ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିବା ଓ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉକ୍ତ ଦିବସ ଅବସରରେ ଆୟୋଜିତ ଏକତା ପଦଯାତ୍ରାରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ଦିବସରେ ଯୋଗଦେଇ ବ୍ୟାସନଗର ମ୍ୟୁନିସପାଲିଟି ଅଧ୍ୟକ୍ଷ ସୁବାସ ବଳ କହିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ ଗୁଜରାଟର ଏକ ଛୋଟ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସର୍ଦ୍ଦାର ପଟେଲ ଜଣେ ବିଜ୍ଞ ଓକିଲ ଥିଲେ। ପରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଓକିଲାତି ଛାଡ଼ି ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସେ ଏକ ସାଧାରଣ ଜୀବନରୁ ଉଠି ଭାରତର ଲୌହ ମାନବ ଭାବେ ପରିଚିତ ହୋଇପାରିଥିଲେ। ତାଙ୍କର ଅସାଧାରଣ ନେତୃତ୍ୱ ଦକ୍ଷତା ଓ ଜନସାଧାରଣଙ୍କୁ ସଂଗଠିତ କରିବାର କ୍ଷମତା ତାଙ୍କୁ ସର୍ଦ୍ଦାର ଉପାଧି ପ୍ରଦାନ କରିଥିଲା। ତାଙ୍କର ପ୍ରୟାସ ଭାରତର ବିଖଣ୍ଡନକୁ ରୋକିଥିଲା। ଏହି ଅନନ୍ୟ ସଫଳତା ତାଙ୍କୁ ଭାରତର ଲୌହ ମାନବ ଉପାଧି ପ୍ରଦାନ କରିଥିଲା। ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଅକ୍ଟୋବର ୩୧ ରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି।
ଏହି ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଷ୍ଟଲର ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆଜିର ଏହି ଏକତା ଦୌଡ ପଦଯାତ୍ରା ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗ ସପନ କୁମାର ନନ୍ଦ, କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ,ବି.ଡି.ଓ କୋରେଇ, ଅବନୀକାନ୍ତ ସାହୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବୁଦ୍ଧିଜୀବୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।