ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପାଇଁ ବ୍ଯାପକ ପ୍ରସ୍ତୁତି।

0 158

ଯାଜପୁର,୨୪/୧୦(ପିପିଟି): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ “ଦାନା” ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ବୁଧବାର ଅପରାହ୍ନ ଠାରୁ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଝିପି ଝିପି ବର୍ଷା ଓ ପବନ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶୂନ୍ୟ ମରଣ ନୀତିରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ପୋଲିସ ବାହିନୀ, ଅଗ୍ନିଶମ ବାହିନୀ, ଏନ୍.ଡି.ଆର.ଏଫ୍, ଓଡ୍ରାଫ ଟିମ୍ ସହ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ସ୍ଥାନାନ୍ତର ଓ ଆଶ୍ରୟସ୍ଥଳ ଗୁଡିକରେ ଥଇଥାନ ବ୍ୟବସ୍ଥାରେ ଲାଗିଛନ୍ତି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ବିଭିନ୍ନ ବ୍ଲକ୍ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଆଶ୍ରୟ ସ୍ଥଳରେ ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଛି। ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୮-୨୨୨୬୪୮) ଖୋଲା ଯାଇଛି। ଅକ୍ଟୋବର ୨୪ ତାରିଖ ଅପରାହ୍ନ ୧ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବାତ୍ୟା ପ୍ରଭାବରେ ଜିଲ୍ଲାର ୧୦ ଟି ବ୍ଲକ୍ ୩୧୧ ଟି ପଞ୍ଚାୟତର ୧୨୧୧ ଟି ଗାଁ ପ୍ରଭାବିତ ହୋଇଛି । ୧୦,୩୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ଅପରାହ୍ନ ସୁଦ୍ଧା ୨୨,୨୧୬ ଲୋକଙ୍କୁ ୬୧୪ ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ତନ୍ମଧ୍ୟରୁ ବରୀ ବ୍ଲକର ୨୪୮୮, ବିଂଝାରପୁର ବ୍ଲକର ୨୦୮୪, ଧର୍ମଶାଳା ବ୍ଲକର ୧୨୭୬, ଦାନଗଦି ବ୍ଲକର ୧୮୯୪, କୋରେଇ ବ୍ଲକର ୧୩୯୬, ରସୁଲପୁର ବ୍ଲକର ୧୬୭୩, ଦଶରଥପୁର ବ୍ଲକର ୫୭୮୪, ସୁକିନ୍ଦା ବ୍ଲକର ୨୧୬୫, ଯାଜପୁର ବ୍ଲକର ୧୦୦୩, ବଡ଼ଚଣା ବ୍ଲକର ୧୧୨୩, ଯାଜପୁର ମ୍ୟୁନିସିପାଲଟିରୁ ୫୪୪, ବ୍ୟାସନଗର ମ୍ୟୁନିସପାଲିଟିରୁ ୭୮୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ବୟସ୍କ ୧୭,୭୭୩ ଜଣ ଏବଂ ଶିଶୁ ୪୪୪୩ ଜଣ। ଜିଲ୍ଲାରେ ୩୧୦ ଟି ରିଲିଫ୍ ସେଣ୍ଟର୍ ରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ୨ ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ଅନୁମୋଦନ ହୋଇଛି। କୌଣସି ଲୋକ ମୃତାହତ ହୋଇ ନାହାନ୍ତି। ୫୦୦ ଟି ଗୋରୁ ଗାଈ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୩୮୨ ବଡ଼ ପ୍ରାଣୀ ଓ ୧୧୮ ଟି କ୍ଷୁଦ୍ର ପ୍ରାଣୀ ଅଛନ୍ତି । ବାତ୍ୟା ପ୍ରଭାବରେ ୨ ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ୧ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୩୨ କୁଇଣ୍ଟାଲ୍ ଚୂଡ଼ା, ୬୦ କି.ଗ୍ରା. ଗୁଡ଼, ୩୫ ଟି ପଲିଥିନ ରୋଲ୍ ବଣ୍ଟନ କରାଯାଇଛି। ଜିଲ୍ଲାରେ ୨୦ ଟି ମେଡିକାଲ ଟିମ୍ ଓ ୧୦ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ ବିଭିନ୍ନ ବ୍ଲକ୍ ଅଞ୍ଚଳ ଗସ୍ତ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ସହରରେ ଥିବା ଉଚ୍ଚ ତୋରଣ,ବାଉଁଶ ଗେଟ ଭାଙ୍ଗି ଦେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ଯାଜପୁର ସ୍ୱାସ୍ଥ୍ୟ ବିଭାଗ ନିଜର ପ୍ରସ୍ତୁତି କରିଛି । ଜିଲ୍ଲାରେ ମୋଟ ୩୧୪ ଟି ମେଡିକାଲ ରିଲିଫ ସେଣ୍ଟର କରାଯାଇଛି । ଏହାସହିତ ୨୦ ଟି ରାପିଡ଼ ରେସପନ୍ସ ଟିମ କରାଯାଇଛି । ବାତ୍ୟା ସମୟରେ ସର୍ପ ଦଂଶନରେ ଅଧିକ ମୃତ୍ୟୁ ଘଟୁଥିବାରୁ ଜିଲ୍ଲାରେ ମୋଟ ୧୦୭୮୫ ଆଣ୍ଟିସ୍ନେକ ଭେନମ ରହିଛି । ଆସନ୍ନ ପ୍ରସବା କୁ ସୁରକ୍ଷା ଦେବାପାଇଁ ଏଯାବତ ଜିଲ୍ଲାର ୨୭୯ ଜଣ ଆସନ୍ନ ପ୍ରସବାଙ୍କୁ ମେଡିକାଲକୁ ସ୍ଥାନନ୍ତର କରାଯାଇଛି ଏବଂ ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ୍ଟ୍ରୋଲରୁମ ଖୋଲାଯାଇଛି । ଏହାସହିତ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଡାକ୍ତରଙ୍କୁ ସତର୍କ କରାଯାଇଛି। ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ଯାଜପୁର ବ୍ଲକରେ ୮ ମି.ମି., ବିଂଝାରପୁର ବ୍ଲକରେ ୧୨ ମି.ମି., ଦଶରଥପୁର ବ୍ଲକରେ ୧୯ ମି.ମି., ଦାନଗଦି ବ୍ଲକରେ ୨ ମି.ମି., ରସୁଲପୁର ବ୍ଲକରେ ୨.୪ ମି.ମି., ଧର୍ମଶାଳା ବ୍ଲକରେ ୨ ମି.ମି., ବଡ଼ଚଣା ବ୍ଲକରେ ୪ ମି.ମି., ବରୀ ବ୍ଲକରେ ୨.୨ ମି.ମି. ରହିଥିବା ବେଳେ କୋରେଇ ଓ ସୁକିନ୍ଦା ବ୍ଲକରେ ବର୍ଷାର ପରିମାଣ ଶୂନ୍ୟ ରହିଛି।

Leave A Reply

Your email address will not be published.