ଯାଜପୁର,୦୭/୦୩(ପିପିଟି) : ଆଜି ପୂର୍ବାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁରଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା କହିଲେ ସାରା ବିଶ୍ବରେ ଏହି ଦିନଟି ନାରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ । ଏହି ଦିବସରେ କିପରି ନାରୀ ମାନଙ୍କର ଉନ୍ନତି ହେବ,ପୁରୁଷ ପ୍ରାଧାନ୍ୟ ସମାଜରେ ତାଙ୍କର ସ୍ଵତନ୍ତ୍ର ପରିଚୟ କିପରି ରହିବ,ସେମାନେ କିପରି ସେମାନଙ୍କ ପାଇଁ ଥିବା ଆଇନଗତ ସହାୟତା ନିମନ୍ତେ ସଚେତନ ହେବେ ଏହି ସବୁ ଦିଗପ୍ରତି ଆଲୋକପାତ କରିଥିଲେ। । ନାରୀ ମାନଙ୍କ ବିନା ସୃଷ୍ଟି ଅସମ୍ଭବ ତାଙ୍କୁ ନେଇ ସବୁକିଛି ଚିନ୍ତା କରାଯାଇପାରେ,ତେଣୁ ସେହି ମାନଙ୍କ ଉନ୍ନତି ପାଇଁ ତାଙ୍କ ଅଧିକାର ପାଇଁ ଯେଉଁ ବ୍ୟବସ୍ଥା ଅଛି ସେଥିପ୍ରତି ସେମାନଙ୍କୁ ସଚେତନ କରାଇବା ଆଜି ଏହି ଦିବସର ମୂଳ ଲକ୍ଷ୍ୟ । ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ମା’ ଭଉଣୀ ମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଆଶା କରିବି ଏହି କର୍ମଶାଳା ମାଧ୍ୟମରେ ଆମେ ସମସ୍ତେ ନିଶ୍ଚିତ ଭାବରେ ସଶକ୍ତ ହେବା ଏବଂ ଆଗାମୀ ଦିନରେ ମା ଏବଂ ଭଉଣୀ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଯେପରି ସେମାନେ ଆମ ସମାଜକୁ ଆଗେଇ ନେବା ପାଇଁ ହେଉ, ଶକ୍ତି ଓ ସାମର୍ଥ୍ୟ ଦରକାର ଯୋଗାଇ ଦେବାରେ ସାମର୍ଥ୍ୟ ହେବେ। ଏହି ଦିବସରେ ଅଧ୍ୟକ୍ଷତା କରି ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ କହିଲେ ମହିଳା ମାନଙ୍କର ପ୍ରାଧାନ୍ୟ ବହୁ ଆଗରୁ ରହିଛି ଏବଂ ଆଗକୁ ରହିବ ମଧ୍ୟ। ସବୁ କ୍ଷେତ୍ରରେ ଏବେ ମହିଳାମାନେ ଆଗୁଆ ଅଛନ୍ତି। କ୍ରୀଡା, ଅନ୍ତରୀକ୍ଷ, ବିଜ୍ଞାନ, କୌଶଳ ସବୁ କ୍ଷେତ୍ରରେ ମହିଳା ମାନଙ୍କ ଅବଦାନ ବହୁ ମାତ୍ରାରେ ରହିଛି। ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପିଟି ଉଷା, ମାଡାମ କ୍ୟୁରୀ ପର୍ଯ୍ୟନ୍ତ ସମସ୍ତେ ଆମ ପାଇଁ ମହିଳା ସଶକ୍ତିକରଣର ଏକ ଉଦାହରଣ। ପିଲାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କୁ ଉତ୍ସାହିତ କରିବା ଦରକାର। ଯେକୌଣସି ଜାଗାରେ ପ୍ରତିବନ୍ଧକ ଆସୁଛି ସେମାନେ ଯେପରି ସାହସର ସହ ଲଢି ପାରିବେ ସେ କ୍ଷେତ୍ରରେ ସମସ୍ତ ସମାଜ ନିୟୋଜିତ ହେବା ଦରକାର । ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ରେକ୍ସୋନା ଜେନା ଯୋଗ ଦେଇ ସମସ୍ତଙ୍କୁ ଆନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇବା ସହ କହିଲେ ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥାଇ ସେମାନଙ୍କର ସ୍ୱତନ୍ତ୍ରତାକୁ ପ୍ରତିପାଦନ କରୁଛନ୍ତି। ଘରଠାରୁ ଆରମ୍ଭ କରି ବାହାର ବିଭିନ୍ନ କାର୍ଯ୍ୟରେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି। ସମାଜର କିଛି ହୀନ ମାନସିକତା ପ୍ରକୃତିର ଲୋକ ମାନଙ୍କ ପାଇଁ ଆଜିବି ନାରୀ କେଉଁଠି ନା କେଉଁଠି ନିଷ୍ପେସିତ ଓ ପ୍ରଭାବିତ । ସେମାନଙ୍କ ଅଗ୍ରଗତି ନିମନ୍ତେ ସମଗ୍ର ଜନ ସମାଜକୁ ସଚେତନ ହେବାକୁ ପଡିବ। ଏହି ଦିବସରେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ କହିଲେ ଆଜି ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ,ମହିଳା ମାନଙ୍କର ଶିକ୍ଷା,ସୁରକ୍ଷା,ସଶକ୍ତିକରଣ ସାମାଜିକ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ବ ପ୍ରତିପାଦନ କରିଥାଏ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ମହିଳାମାନଙ୍କର ବିଶେଷ ଭୂମିକା ରହିଛି। ସରକାର ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ମହିଳା ମାନଙ୍କ ମୌଳିକ ଅଧିକାରର ସୁରକ୍ଷା ନିମନ୍ତେ ଥିବା ବିଭିନ୍ନ ଅଧିନିୟମର ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜି ଏହି ଦିବସରେ ବିଦ୍ୟାଳୟସ୍ତରୀୟ ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ଦୌଡ଼ିଟଣା,କବାଡି,ଖୋଖୋ,ମୁରୁଜ, ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସିଡିପିଓ ବିଂଝାରପୁର ରୁକ୍ମଣୀ ସାହୁ ଏବଂ ମହିଳା ସୁପରଭାଇଜର ଦାନଗଦି ବ୍ଲକର ପୁଷ୍ପଲତା ସେଠୀ, ଦଶରଥପୁର ବ୍ଲକର ଜୟନ୍ତୀ ସାହୁ, କୋରେଇ ବ୍ଲକର ସୁଚିଶ୍ମିତା ଜେନା, ୪ ଜଣ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସି.ଡି.ପି.ଓ, ସୁପରଭାଇଜର, ଏସ.ଏଚ୍.ଜି, ଅଙ୍ଗନୱାଡ଼ି କର୍ମୀ,ସ୍ଵେଚ୍ଛାସେବୀ ସଂଗଠନ ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଦିବସକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜିନୀ ଦାସ ପରିଚାଳନା କରିଥିଲେ। ପରିଶେଷରେ ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।