ଯାଜପୁର,୧୮/୧୨(ପିପିଟି): ଜିଲ୍ଲାରେ ଅବୈଧ ଭାବେ ବାଲି ଉତ୍ତୋଳନ ଓ ଚୋରାଚାଲାଣ ସମ୍ବନ୍ଧୀୟ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ଗ୍ରହଣ କରିଛି। ବିଶେଷକରି ବାଲି ଭର୍ତ୍ତି ଚାଲାଣକୁ ଜିଲ୍ଲା ବାହାରକୁ ଓ ରାଜ୍ୟ ବାହାରକୁ ପଠାଯାଉଥିବା ଅଭିଯୋଗକୁ ଗୁରୁତର ଅପରାଧ ଭାବେ ଦେଖାଯାଇଛି।
ଏହି ପ୍ରକାର ଅବୈଧ କାର୍ଯ୍ୟକଳାପ ଓଡ଼ିଶା ଖଣିଜ ଉନ୍ନୟନ, ନିୟମନ ଓ ପ୍ରତିଷେଧ ଆଇନ ଓ ନିୟମାବଳୀର ସ୍ପଷ୍ଟ ଉଲ୍ଲଂଘନ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଏହା ଦ୍ୱାରା ସରକାରୀ ରାଜସ୍ୱର ହାନି ସହିତ ପରିବେଶୀୟ ସନ୍ତୁଳନ ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାର, ବ୍ୟାସନଗର ପୌର ପାଳିକା/ବିଂଝାରପୁର, କନିଷ୍ଠ ଖଣି ଅଧିକାରୀ, ବ୍ୟାସନଗର ପୌର ପାଳିକା/ବିଂଝାରପୁର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ତହସିଲ ସ୍ତରୀୟ ଟାସ୍କ ଫୋର୍ସକୁ ନେଇ ଏକ ବୈଠକ ଡାକି ନିୟମିତ ଯାଞ୍ଚ,ଚଢ଼ାଉ ଓ କଠୋର ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନଧିକୃତ ବାଲି ଚାଲାଣରେ ସଂଲଗ୍ନ ଗାଡ଼ି,ଯନ୍ତ୍ରପାତି ଓ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।