ଯାଜପୁରରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ କାରବାର ନିଷେଧ ଦିବସ- ୨୦୨୫ ପାଳିତ।

0 227

ଯାଜପୁର,୨୬/୦୬(ପିପିଟି): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଅବକାରୀ ବିଭାଗ, ଯାଜପୁର ର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ଥରୀୟ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ କାରବାର ନିଷେଧ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ନିଶାଦ୍ରବ୍ୟ ସେବନ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ପାଇଁ ଅହିତକର ଅଟେ। ମଦ ଓ ମାଦକ ଦ୍ରବ୍ୟ ଯଥା: ଜର୍ଦ୍ଦା,ଗୁଟଖା,ଖଇନି,ଅଫିମ, ଗଞ୍ଜେଇ,ବ୍ରାଉନସୁଗାର ଆଦି ନିଶାର ଭୟଙ୍କର ଓ କରାଳ ରୂପ ମନୁଷ୍ୟର ଅମୂଲ୍ୟ ଜୀବନକୁ ଏବଂ ତାଙ୍କ ପରିବାରକୁ ଛାରଖାର କରିବା ସହ ରାଷ୍ଟ୍ରର ଅତୁଳନୀୟ କ୍ଷତି ଘଟାଇଥାଏ। ଏଣୁ ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ଆପଣେଇ ନିଶା ଦ୍ରବ୍ୟ ବ୍ୟବହାର ବର୍ଜନ କରି ଗଠନ ମୂଳକ ନିଶା ଓ ପେଶାରେ ବ୍ରତୀ ହୋଇ ସମାଜରେ ମଣିଷ ପରି ମଣିଷ ହୋଇ ନିଜର ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇ ସୁସ୍ଥ, ନିରାମୟ, ରୋଗମୁକ୍ତ ଏବଂ ପ୍ରଗତିଶୀଳ ସମାଜ ଗଠନରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ରମେଶ ମଲ୍ଲିକ କହିଲେ ନିଶାଦ୍ରବ୍ୟ ସେବନର କୁପରିଣାମ ହେତୁ ଆଜି ଦିନ ସମଗ୍ର ବିଶ୍ଵରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ କରାଯାଉଛି । ଏଣୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରି ନିଜେ କେବେ ନିଶା ଦ୍ରବ୍ୟର ଶିକାର ହେବାନାହିଁ ଏବଂ ପାରିପାର୍ଶ୍ବିକ ଜନସାଧାରଣଙ୍କୁ ଏପରିକୁ ଅଭ୍ୟାସରେ ପଡ଼ିବାକୁ ଦେବାନାହିଁ ବୋଲି ପରାମର୍ଶ ଦେଇଥିଲେ। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ,ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ଟଣ୍ଡେଲ କହିଲେ ନିଶାଦ୍ରବ୍ୟ ସାମାଜିକ ଚଳଣୀରେ ଏକ ବଡ଼ ବ୍ୟାଧି । ଏହାର କୁପରିଣାମ ପରିବାରକୁ ଧ୍ବସ୍ତ ବିଧ୍ବସ୍ତ କରିଦିଏ । ଏଣୁ ଛାତ୍ର ଛାତ୍ରୀ ମାନେ ନିଶାଦ୍ରବ୍ୟ ବ୍ୟବହାର ନ କରି ମଙ୍ଗଳମୟ ଭବିଷ୍ୟତ ଗଠନ ସହ ପିତା ମାତାଙ୍କର ଲକ୍ଷ୍ୟ ଫଳପ୍ରଦ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ରହ୍ମକୁମାରୀ ଅଧ୍ୟକ୍ଷା ମିସ୍ ବି.କେ ଲକ୍ଷ୍ମୀ କହିଲେ ନିଶା ନିବାରଣ କ୍ଷେତ୍ରରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ। ଛାତ୍ର ଛାତ୍ରୀମାନେ ଏ ସମସ୍ତ ନିଶା ଦ୍ରବ୍ୟରୁ ବିରତ ରହି ଜୀବନରେ କୁ ସଙ୍ଗରେ ନ ପଡ଼ି ସତ୍ ସଙ୍ଗରେ ଯାଇ ଜୀବନକୁ ଗଢି ତୋଳିଲେ ଆନନ୍ଦମୟ ହେବ ବୋଲି କହିଥିଲେ। ଆଜିର ଏହି ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ନିଶା ନିବାରଣ ଉପରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।

ଆଜିର ଏହି ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନ ଅବସରରେ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳନର ଉଦ୍ଦେଶ୍ୟ, ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣର ପ୍ରତିରୋଧକ ପଦକ୍ଷେପ ଏବଂ ସମାଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସକାଳ ୯ଟାରେ ସ୍ଥାନୀୟ ରାମମନ୍ଦିର ନିକଟରୁ ଏକ ସଚେତନତା ଶୋଭାଯାତ୍ରା ଗୌତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଦିବସରେ ବିଭାଗୀୟ ଅଧିକାରୀ,ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ବୁଦ୍ଧିଜୀବୀ ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଡେପୁଟି ସୁପେରିନଣ୍ଟେଡେଣ୍ଟ ଏକସାଇଜ ଅନିତା ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.