ବୋଲଗଡ଼,୧୨/୦୮(ପିପିଟି): ପାଖେଇ ଆସିଲାଣି ପାର୍ବଣ ଋତୁ।
ଉତ୍ସବ ମୁଖର ହୋଇ ଉଠିବ ଗ୍ରାମଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ । ପାର୍ବଣ ପ୍ରସ୍ତୁତିର ପ୍ରଥମ ପର୍ବ ମୂର୍ତ୍ତି ଗଢାରୁ ଆରମ୍ଭ ହୋଇଥାଏ । ସେଥିପାଇଁ ବିଭିନ୍ନ ଅଞ୍ଚଳର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢାରେ ମାତି ଗଲେଣି । ଆଉ କିଛି ଦିନର ବ୍ୟବଧାନ ପରେ ଗଣେଶ ପୂଜା ଓ ବିଶ୍ବକର୍ମା ପୂଜା ପଡୁଥିବାରୁ କାରିଗରମାନେ ମୂର୍ତ୍ତିରେ ନଡା ବିଡା ଠାରୁ ଆରମ୍ଭ କରି ମାଟି ପ୍ରଲେପ
କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ମୂର୍ତ୍ତି ନିର୍ମାଣରେ ପରିଶ୍ରମ ତୁଳନାରେ ଲାଭ ମିଳୁନଥିଲେ ମଧ୍ୟ କାରିଗରମାନେ ଦେଖାଇ ଚାଲିଛନ୍ତି ନିଜ ହାତର ଯାଦୁଗରୀ । ବୋଲଗଡ଼ ଅଞ୍ଚଳର ଅଭିଜ୍ଞ ମୂର୍ତ୍ତି କାରିଗର ନିଜ ନିଜର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର ସୋରରେ ଜାରି ରଖିଛନ୍ତି । ବୋଲଗଡ଼ ଏବଂ ଆଖପାଖ ଅଞ୍ଚଳରେ ସେମାନଙ୍କ ହାତଗଢା ମୂର୍ତ୍ତିର ବେଶ୍ ଚାହିଦା ରହିଛି । ମୂର୍ତ୍ତି ନିମନ୍ତେ ଲୋକଙ୍କ ଶ୍ରଦ୍ଧା ଓ ପ୍ରଶଂସାର ଦୁଇପଦ କଥା ଶୁଣିଲେ କାରିଗରମାନେ ନିଜର କଳାକୁ ଅଧିକ ଜୀବନ୍ତ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଲୋକଙ୍କ ଏହି ପ୍ରଶଂସା ଟିକକ ତାଙ୍କ ପରିଶ୍ରମ ଓ କଷ୍ଟକୁ ଦୂରେଇ ଦେଇଥାଏ । ତେବେ ଏଇ କିଛି ବର୍ଷ ହେଲା ଚିକିଟା ମାଟିର ଅଭାବ ମୂର୍ତ୍ତି ଗଢାରେ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଚିକିଟା ମାଟିକୁ ଚିକ୍କଣ କରିବା ପାଇଁ କୌଣସି ମିଶ୍ରଣ ଯନ୍ତ୍ର ବାହାରି ନାହିଁ । ଯନ୍ତ୍ର ବାହାରି ଥିଲେ ଅଳ୍ପ ସମୟ ମଧ୍ୟରେ ଅଧିକ ମୂର୍ତ୍ତି ଗଢାଯାଇ ପାରିବା ସହ ମୂର୍ତ୍ତି ଗୁଡିକ ଅଧିକ ଜୀବନ୍ତ ହୋଇପାରିଥାନ୍ତା ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।