କୋଦଳା,୧୪/୦୧(ପିପିଟି): ବିଧିର ବିଧାନ କେ କରିବ ଆନ। ମୃତ୍ୟୁ ସମସ୍ତଙ୍କ ଜୀବନରେ ଆସେ କିନ୍ତୁ ଏହା ଯେ ଏମିତି ବିଚିତ୍ର ଭାବରେ ଆସେ ତାହା ସମସ୍ତଙ୍କୁ ଚକିତ କରିଦେବ। ସ୍ୱାମୀ ମରିବାର ଦଶ ଦିନରେ ଏକ ମାତ୍ର ପୁଅ ଆରପାରିକୁ ଚାଲିଗଲା।ଶେଷରେ ଦୁଃଖରେ କାଳ କାଟୁଛନ୍ତି ବେ ସାହାରା କେଶରୀ ପରିବାର ! ଘଟଣା ଘଟଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର କଞ୍ଚଣା ପଞ୍ଚାୟତର ରାଣୀପଡ଼ା ଗ୍ରାମରେ। ଉକ୍ତ ଗ୍ରାମରେ ମୂଳିଆ ପ୍ରଧାନ ଓ ତାଙ୍କ ପତ୍ନୀ କେଶରୀ ପ୍ରଧାନ ଙ୍କର ଏକ ମାତ୍ର ପୁଅ ରବୀନ୍ଦ୍ର ପ୍ରଧାନ। ଗତ ୩ ବର୍ଷ ତଳେ ରବୀନ୍ଦ୍ର ଯମୁନାଙ୍କୁ ବିବାହ କରିଥିଲେ। ପରେ କୋଳରେ ଜନ୍ମ ନେଇଥିଲା ଝିଅ ପ୍ରିୟାଂଶି। ପରେ ପରେ ଗତ ୧୦ ମାସ ତଳେ ଏକ ବାଇକ ଦୁର୍ଘଟଣାରେ ରବୀନ୍ଦ୍ର ଗୁରୁତର ଆହତ ହେବା ପରେ ମୁଣ୍ଡକୁ ମାଡ ହେବା ଯୋଗୁଁ କୋମା ଅବସ୍ଥାକୁ ଚାଲିଯାଇଥିଲେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ସେ ଠିକ ଅବସ୍ଥାକୁ ଫେରିନଥିଲେ ଓ ଶଯ୍ୟାଶାୟୀ ଥିଲେ। ଏହା ପୂର୍ବରୁ ଠିକ ୪ ମାସ ଆଗରୁ ଯମୁନା ଏକ ଶିଶୁ ପୁତ୍ର ଅରିୟାନ କୁ ଜନ୍ମ ଦେଇଥିଲେ । ପୁଅ ରବୀନ୍ଦ୍ରର ସ୍ୱାସ୍ଥ୍ୟବସ୍ଥା ସହିତ ଆର୍ଥିକ ଅନାଟନ ଚିନ୍ତାରେ ବାପା ମୂଳିଆ ଗତ ନଭେମ୍ବର ୧୬ ତାରିଖରେ ସବୁଦିନ ପାଇଁ ଆଖି ବୁଜିଲେ। ତାଙ୍କ ଦଶାହ ଦିନ ବିଳମ୍ବିତ ରାତିରେ ପୁଅ ରବୀନ୍ଦ୍ର ବି ସବୁଦିନପାଇଁ ଆଖି ବୁଜିଦେଲେ। ବର୍ତ୍ତମାନ ଘରେ ଦୁଃଖିନୀ କେଶରୀ ଶଯ୍ୟାଶାୟୀ। ଆଖି ଆଗରେ ନିଜର ସ୍ୱାମୀଙ୍କର ମୃତ୍ୟୁ ସହ ପୁଅର ମୃତ୍ୟୁ ଦେଖି ସମ୍ପୂର୍ଣ୍ଣ ଧର୍ଯ୍ୟହରା ହୋଇପଡିଛନ୍ତି କେଶରୀ। ଅନ୍ୟପଟେ ନିଜ ସ୍ୱାମୀ ରବୀନ୍ଦ୍ରଙ୍କ ମୃତ୍ୟୁ ଓ ଶ୍ୱଶୁରଙ୍କ ମୃତ୍ୟୁ ପରେ ଯମୁନା ଛୋଟ ଛୁଆଟିକୁ ଧରି କଇଁ କଇଁ ହୋଇ କାନ୍ଦିବା ଛଡା ଅନ୍ୟ କିଛି ରୋଜଗାର ଉପାୟ ଖୋଜି ପାଉନାହାନ୍ତି । ଯମୁନାଙ୍କ କୋଳରେ ବର୍ତ୍ତମାନ ନିଷ୍ପାପ ଦୁଇ ଶିଶୁ। ୨ବର୍ଷର ଝିଅ ପ୍ରିୟାଂଶି ଓ ୪ ମାସର ଶିଶୁ ପୁତ୍ର ଅରିୟାନ। ଚିନ୍ତାରେ ଯମୁନାଙ୍କ ଚେତା ବାରମ୍ବାର ଯାଉଛି। ଘର ବର୍ତ୍ତମାନ ମୁରବୀ ଶୂନ୍ୟ। ସେପଟେ କେଶରୀ ଶେଯରୁ ଉଠୁ ନାହାଁନ୍ତି। ଦୁଇ ପିଲା ବାପ ଛେଉଣ୍ଡ ହୋଇଗଲେ। ଏହାକୁ ନେଇ ରାଣୀପଡ଼ା ଗାଁରେ ଦୁଃଖର ବାତାବରଣ ଦେଖାଦେଇଛି । ଘର ଚଳିବ କେମିତି ଏହା ଯମୁନା ପାଇଁ ଏକ ଅସମାହିତ ପ୍ରଶ୍ନ ପାଲଟି ଯାଇଛି। କୋଳରେ ଥିବା ଦୁଇ ଶିଶୁଙ୍କ ଭବିଷ୍ୟତ ଗଢିବା ତ ସାତ ସପନ,ତାଙ୍କ ମୁହଁରେ କିପରି ଖାଇବାକୁ ମୁଠାଏ ଦେବେ ତାହା ଚିନ୍ତା କରିପାରୁ ନାହାନ୍ତି। ସ୍ୱାମୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ବହୁ ଅର୍ଥ ଖର୍ଚ୍ଚ କରି ବାକିରେ ବୁଡି ରହିଛନ୍ତି। ଏବେ ଏହି ଦୁର୍ଘଟଣା ତାଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ତାଙ୍କୁ ସହାୟତା ଦେବା ପାଇଁ ଆକୁଳ ନିବେଦନ କରିଛନ୍ତି ଯମୁନା।କୌଣସି ସହୃଦୟ ବ୍ୟକ୍ତି କିମ୍ବା ସ୍ବେଛାସେବୀ ଅନୁଷ୍ଠାନ କିମ୍ବା ପ୍ରଶାସନଙ୍କ ସାହାଯ୍ୟ ତାଙ୍କ ପାଇଁ ଆଶ୍ରିବାଦ ହେବ ବୋଲି ଯମୁନା ପ୍ରକାଶ କରିଛନ୍ତି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)