ମିଶନ୍ ଜ୍ୟୋତି ଟ୍ରଷ୍ଟ ପ୍ରୟାସରେ;‘ନଗଡ଼ା’ ରେ ଫର ଫର ହୋଇ ଉଡ଼ିଲା ତ୍ରିରଙ୍ଗା ।

0 182

ଯାଜପୁର,୨୬/୦୧(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ, ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତର ପଡା ଗ୍ରାମ ‘ନଗଡ଼ା’ ରେ ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଏ ଥର ଗଣତନ୍ତ୍ର ଦିବସ ବେଶ ଧୁମଧାମ ରେ ପାଳନ କରାଯାଇଛି।

ସୂଚନାରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମାଜିକ ଅନୁଷ୍ଠାନ ଓ ସମାଜସେବୀ ମାନଙ୍କୁ ନେଇ ଗଠନ ହୋଇଥିବା ମିଶନ୍ ଜ୍ୟୋତି ଟ୍ରଷ୍ଟ ନଗଡ଼ା ବାସୀଙ୍କ ସ୍ଥିତି ସୁଧାର ପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଯାଜପୁର ଜିଲ୍ଲା ଏକ ଖଣି ସମ୍ପନ୍ନ ଜିଲ୍ଲା ହୋଇଥିବା ବେଳେ ନଗଡ଼ାର ଏଭଳି ସ୍ଥିତି ଦୁର୍ଭାଗ୍ୟଜନକ। ଏହି ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ ପ୍ରକାର ଖଣିଜ ସମ୍ପଦମାନ ରପ୍ତାନୀ ହୋଇ ସାରା ଜିଲ୍ଲା ଉନ୍ନତି ହେଉଥିବା ବେଳେ ସେଥିରୁ ବାଦ ପଡ଼ିଯାଇଛି ନଗଡ଼ା। ହେଲେ ଅପପୃଷ୍ଟିର ଇଲାକା ନଗଡ଼ା ପାଇଁ ସାରା ଓଡ଼ିଶାରେ ବଦନାମର ବୋଝ ମୁଣ୍ଡଉଛନ୍ତି ଯାଜପୁର ବାସୀ। ବଡ଼ ଦୁଃଖର ବିଷୟ ଯେ ଜିଲ୍ଲାର ସର୍ବାଧିକ ଖଣି ଏହି ସୁକିନ୍ଦା ବ୍ଲକରେ ହିଁ ଥାଏ। କିନ୍ତୁ ଏହି ବ୍ଲକର ଚିଙ୍ଗୁଡିପାଳ ଗ୍ରାମପଞ୍ଚାୟତର ନଗଡ଼ା ଗ୍ରାମରେ ବହୁ ବର୍ଷ ହେବ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଇବାକୁ ନ ପାଇଁ ମୃତ୍ୟୁ ବରଣ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ନ ପାଇଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଶିକ୍ଷା ଅଭାବରୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହେଇଯାଉଛି। ଏଠାରେ ଥିବା ତଳଢ଼ିହ,ତୁମୁଣି, ଗୁହିଆଶାଳ ରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଆଜି ଆମ ଦେଶ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏଠିକାର ଲୋକମାନେ ଏବେ ବି ପରାଧୀନ ଏବଂ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ।

ଆଜକୁ ଦୀର୍ଘବର୍ଷ ହେବ ମିଶନ୍ ଜ୍ୟୋତି ଟ୍ରଷ୍ଟ ଏହି ତିନି ବସ୍ତିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଲଗାତାର ଭାବେ ନିୟମିତ ଓ ନିରନ୍ତର ପ୍ରୟାସ ଜାରି ରଖିଥିବା ଅନୁଷ୍ଠାନ ସଭାପତି ରଶ୍ମିଳତା ବଳ କହିଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସମାଜସେବୀ ସୁବ୍ରତ ବାରିକ, ମେଘନାଦ ଜେନାଙ୍କ ସମେତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସମାଜସେବୀ ଗଗନ ବିହାରୀ ପାଇଟାଳଙ୍କ ଦ୍ଵାରା ସଂଗୃହିତ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ଏଥି ସହ ଅନୁଷ୍ଠାନ ପକ୍ଷରୁ ଗୁରୁବାରୀ ମାଉସୀଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ହୋଇ ଛୋଟ ପିଲାମାନଙ୍କ ପାଇଁ ସେଓ ବୁନ୍ଦୀ ବଣ୍ଟନ ସହ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍ ସହିତ ବହୁଗୁଣର ପ୍ରତିଭା ଦମୟନ୍ତି ରଣାଙ୍କ ସହଯୋଗରେ ଖାଦ୍ୟପେୟର ବ୍ୟବସ୍ତା ହୋଇଥିଲା, ତତ୍ ସହିତ ଡାକ୍ତର ଦୀପ୍ତିରଞ୍ଜନ କର, ରାଜେନ୍ଦ୍ର ମଲିକ୍ ପ୍ରଖ୍ୟାତ ସମାଜସେବୀ ରୁନି ପ୍ରଧାନଙ୍କ ସହଯୋଗରେ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ ନିର୍ବାହ ହୋଇଥିଲା। ବିଶିଷ୍ଟ ସମାଜସେବୀ ଅନିତା ନାୟକଙ୍କ ଦ୍ଵାରା ସଂଗୃହିତ କମ୍ବଳ ପ୍ରତ୍ୟେକ ପରିବାରଙ୍କୁ ବଣ୍ଟନ କରାଯାଇଥିଲା। ପ୍ରଦୀପ୍ତ ରାଉଳଙ୍କ ଦ୍ୱାରା ତଳଡ଼ିହରେ ୧୨ ଗୋଟି ପରିବାରକୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ ପ୍ରଦାନ କରାଯାଇଥିଲା। ଏଠାରେ ଉପସ୍ଥିତ ଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଠିକାର ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.