***ମିଠା କଥା***

0 0

ଆଜି କାଲିକା ସମୟରେ ମିଠା କଥା କହୁଥିବା ଲୋକମାନଙ୍କୁ ତେଲୁଆ ବୋଲି କହିଲେଣି। କିଛି ସ୍ବାର୍ଥ ପାଇଁ ଚିକିଣିଆ କଥା
ବଖାଣିବାର ଏହାକୁ ପ୍ରୟୋଗ କରାଯାଏ। ନତବା ମିଠା କଥାର ଅଭିପ୍ରାୟ କ’ଣ? ମିଠା କଥା ସହିତ ମୁଚୁକୁନ୍ଦିଆ ହସ ସମ୍ମୁଖ
ବ୍ୟକ୍ତିଙ୍କୁ ଭାରି ଆକର୍ଷିତ କରେ । ଏହାକୁ ସମ୍ମୋହନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କାଲି ଗୋଟାଏ ରୋଗ ଘରେ ଘରେ ବ୍ୟାପିଲାଣି ଡାଇବେଟିସ। ବେଶି ମିଠା ଖାଇ ଖାଇ ମଧୁମେହ।
ତେଣୁ ଡାଇବେଟିସ କଥା ଶୁଣିବା ଏକ ରୋଗ ହୋଇ ଗଲାଣି।
ମିଠା କଥାର ଛଳନା ଥାଇ ପାରେ।ଆଗ କାଳରେ ରାଜାଙ୍କ ଦରବାରରେ ଭାଟମାନେ ନିଯୁକ୍ତି ପାଇଥିଲେ। କେବଳ ରାଜାଙ୍କ
ପ୍ରଶଂସା ଗାନ କରିବାକୁ। ଆଜି କାଲି ନେତା ମନ୍ତ୍ରୀ ଙ୍କ ପାଖରେ
ମଧ୍ୟ ଚାଟୁକାରଙ୍କ କମ ନାହିଁ। ସେମାନେ ଚୋରକୁ ସାଧୁ, ଲମ୍ପଟ କୁ ସତ୍ଯବାନ, ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ ସଚ୍ଚୋଟ କହିବାରେ କୁଣ୍ଠାବୋଧ କରନ୍ତି ନାହିଁ।
ସିଧାସଳଖ କଥା କହିବା ଲୋକ ଯଦିଚ ସବୁଠି ଅପ୍ରିୟ, ସମସ୍ତେ ସତ କହିବା ଲାଗି ଛାତିରେ ଦମ୍ଭ ଥିବା ଆବଶ୍ୟକ।
ତେଲୁଆ କଥାରେ ଦ୍ରବିଭୂତ ହେଲେ ଶେଷରେ ବିନାଶ ହିଁ ବିନାଶ। ମିଛ ପ୍ରଶଂସା କାହାକୁ ଭଲ ଲାଗି ପାରେ କିନ୍ତୁ ବହୁତ
ଲୋକମାନଙ୍କୁ ଏ ଭଳି ଚାଟୁକାର ଭାଷା କୁ ନାପସନ୍ଦ କରନ୍ତି।
ବହୁ ସରକାରୀ କଳର ବାବୁମାନଙ୍କୁ ଆଜ୍ଞା, ହଜୁର, ସାର୍, ଆପଣ ସମ୍ବୋଧନ ଶୁଣି ଉତଫୁଲ୍ଲିତ ହୁଅନ୍ତି। କଞ୍ଚା ମିଛକୁ ସତ ବୋଲି ଧରି ନିଅନ୍ତି। ଚାଟୁକାରଙ୍କ ଷଡ଼ଯନ୍ତ୍ରରେ ପଡି ବୁଦ୍ଧି ବିବେକୁ ତଳିଆ କର୍ମଚାରୀ ନିକଟରେ ବନ୍ଧା ପକାଇଥାନ୍ତି। କିଛି
ଅଫିସରଙ୍କୁ କିରାଣୀ ମିସ୍ ଗାଇଡ କରିଥାଏ। କିରାଣୀ ମାଧ୍ଯମରେ ନ ହେବା କାମ ହୁଏ। ଯେଉଁ କିରାଣୀ ମିଠା କଥା କହି ଅଫିସରଙ୍କ ମନ ଜିତେ,ସେ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରେ । ଏହି ଠୁ ହିଁ ଦୁର୍ନୀତି ର ଚେର ଲମ୍ବେ । ବହୁତ ଅଫିସର
କିରାଣୀଙ୍କ ମାଧ୍ୟମରେ ଲାଞ୍ଚ ଖାଆନ୍ତି। ସେମାନେ ଭାବନ୍ତି, ନିଜେ
ଭାରି ଚାଲାକ। ଯଦି ଲାଞ୍ଚ କାରବାର ସଙ୍ଘାତିକ ହୁଏ, ଭିଜିଲାନ୍ସ
ଜାଲରେ ସିଏ ପଡିବ। ନିଜେ ତ ସୁରକ୍ଷିତ। ଏମିତି ଏକ ସତ ଘଟଣା ହେଲା, ଉପଜିଲ୍ଲାପାଳ କାର୍ଯ୍ୟାଳୟରେ। କିରାଣୀ ମାଧ୍ଯମରେ ଚାଲୁଥିଲା ଲାଞ୍ଚ କାରବାର। ଲକ୍ଷେ ଟଙ୍କା ନେଇ
ଭିଜିଲାନ୍ସ ଜାଲରେ ଫସିଲା ଜଣେ କିରାଣୀ। ଜେଲ୍ ଗଲା। ମାତ୍ର ଉପ ଜିଲ୍ଲାପାଳଙ୍କୁ କ୍ଲିନ୍ ଚିଟ୍। ଏମିତି ସବୁ ଅଫିସରେ କିଏ
ନା କିଏ ଅଫିସରଙ୍କ ପ୍ରିୟପାତ୍ର। ଅଫିସରଙ୍କ ଆବଶ୍ୟକ ଅନୁସାରେ କାମ ହୁଏ। ଲାଞ୍ଚ,ସୁରା, ସୁନ୍ଦରୀ ସବୁ ଯୋଗାଡ ହୁଏ। ଏମିତି ବଦମାସ୍ ଅଫିସରଙ୍କ ଆଜି କାଲି ମାଳମାଳ। ଜନତାଙ୍କ ସେବା ନାଁ ରେ ଜନତାଙ୍କୁ ଶୋଷଣ କରିବା ପ୍ରବୃତ୍ତି ବେଶି । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବହୁତ କମ୍। ଶାଗ
ଚୋରକୁ ଜେଲ୍, ମାତ୍ର ମୋଟା ଅଙ୍କର ଲାଞ୍ଚ ନେଇ କାମ କରୁଥିବା ଅଫିସରଙ୍କ ପାଇଁ ସବୁ ମାଫ୍ । ଏ ସବୁ ଦୋଗଲା ନୀତି ପାଇଁ ଦିନକୁ ଦିନ ଭ୍ରଷ୍ଟାଚାର ର ଲିଷ୍ଟ ଲମ୍ବା।
“ମଧୁର ବିନୟ ବଚନ। କହି ତୋଷିବ ଜନମନ “।।
ଏ ଉକ୍ତି ଟି ବହୁ ପ୍ରାଚୀନ । ଲୋକମାନେ କିପରି ବିଶୃଙ୍ଖଳିତ ନ ହେବେ,ଶିଷ୍ଟାଚର ଶିଖିବେ, ଏଥି ପାଇଁ ଅଭିପ୍ରେତ। ଆମେ ପିଲା ବେଳେ ପାଠ ପଢିଲା ବେଳେ ହିତୋପଦେଶ ଗୁଡିକ ବିଦ୍ଯାଳୟ
କାନ୍ଥରେ ଲେଖା ଯାଉଥିଲା ବହୁତ ହିତୋପଦେଶ ମଧ୍ୟରେ,ଏହା
ଗୋଟିଏ। କିନ୍ତୁ ଏ କଥା ପିଲାଙ୍କ ମୁଣ୍ଡରେ ପୂରୁ ନଥିଲା। ପିଲା ବେଳେ ସାଙ୍ଗ ସାଙ୍ଗ ମଧ୍ୟରେ କଳିଗୋଳ, ହାତାହାତି,କନ୍ଦା କଟା, ହୋହଲ୍ଲା। ଅବଧାନେ ଜାଣିଲା ପରେ ବେତ୍ରାଘାତ। ଗୋଗୋଛା ମାଡ। ପରେ ହାତ ପାପୁଲି ଲାଲ ଆଉ ପିଠିରେ
ବେତ୍ରାଘାତରେ ନୋଳା ଦାଗ। ତେଣୁ ହିତୋପଦେଶ ତା ବାଟରେ, ପିଲାମାନଙ୍କର କଳିଗୋଳ ତା, ବାଟରେ।
ତତ୍ କାଳୀନ ସମୟରେ ଗାଁ ଗାଁ ରେ ଭାଗବତ ଟୁଙ୍ଗି ଥିଲା। ଗାଁ
ଶେଷରେ ହେଉ କି ଦାଣ୍ଡ ମଝି ରେ ହେଉ ଭାଗବତ ଟୁଙ୍ଗି ରେ ପୁରାଣର ପାଠ ହେଉଥିଲା। ଲୋକମାନେ ସନ୍ଧ୍ୟା ରେ ଆସି
ପୁରାଣ ଶୁଣି ରୀତି ନୀତି ଶିଖୁଥିଲେ। ପାପପୁଣ୍ଯ କ’ଣ ଜାଣୁଥିଲେ । ଅଧର୍ମ କର୍ମ କରିବାକୁ ମଣିଷ ଭୟ କରୁଥିଲା । ଲୋକମାନଙ୍କ ଚରିତ୍ର,ଶିଷ୍ଟାର ଉଚ୍ଚକୋଟୀର ଥିଲା। ଲୋକମାନେ ବସ୍ତୁବାଦୀ ନଥିଲେ। ଅଧର୍ମ ବିତ୍ତ କୁ ଅଣ୍ଟିରେ ପୂରାଉ ନଥିଲେ। ଅବଶ୍ୟ ଗାଁ ଲୋକମାନଙ୍କର ଅନେକ ଅଭାବ ଥିଲା। ଚାଳଛପର ଘରେ ରହୁ ଥିଲେ। ମାତ୍ର ନୀତି ନିଷ୍ଠ ଆଉ ସଚ୍ଚୋଟ ଥିଲେ। ସେ ସମୟର ମଣିଷ ଆଉ ଆଜିକା ମଣିଷ ମଧ୍ୟରେ ଆକାଶ ପାତାଳ ପ୍ରଭେଦ। ସେମାନେ ସ୍ବାର୍ଥବାଦୀ ନଥିଲେ। ନିଃସ୍ୱାର୍ଥପର ଥିଲେ। ଆଜିକାଲି ମଣିଷ ସ୍ବାର୍ଥ ପର। ଏବେ ଭାଇ ଭାଇ ମଧ୍ୟରେ ବିରାଟ ଫାଟ। ଘରେ ଘରେ କୁରୁକ୍ଷେତ୍ର। ବାପା ପୁଅ ମଧ୍ୟରେ ମତାନ୍ତର, ମନାନ୍ତର। ଆଉ ଶ୍ରବଣ କୁମାର ପରି ପୁତ୍ର ବିରଳ। ପିତୃସତ୍ୟ ପାଳିବା ପରି
ପୁତ୍ର ଜନ୍ମ ନେବା ଦୁସ୍ବପ୍ନ ଓ ଦୁଷ୍ପ୍ରାପ୍ୟ।ସବୁଠି କଳହ। ଗର୍ବ, ଅହଙ୍କାର। ନିଜେ ନିଜକୁ ଦୁର୍ଯ୍ୟୋଧନ। ମାନଗୋବିନ୍ଦ।
ମଣିଷ ଭାବଛି ଯେ ଯିଏ ଯେତେ କୁକର୍ମ କରିବ ବା ରାକ୍ଷସ ପ୍ରବୃତ୍ତିକୁ ଆପଣାଇବ , ତା’ର ମାନ ସମ୍ମାନ ବଢିବ। ଚିତ୍କାର କରି, କଣ୍ଠ ଫଟେଇ ରାଉ ରାଉ ହେଲେ, ନିଜର ଖାତିରି ବଢିଯିବ । ମଦ, ମାଂସ, ସୁନ୍ଦରୀ କୁ ଯେତେ ବ୍ୟବହାର
କରିବ ସମ୍ରାଟ ଭଳି ଅନୁଭବ ହେବ। ଅନ୍ୟର ସର୍ବନାଶ କଲେ
ଆନନ୍ଦ ମିଳିବ। ଏ ସବୁ ନିଜର ଅହଂ ଭାବ ଓ ମୁର୍ଖାମୀ ପଣିଆ।
ଏ ସବୁ ଅଧିକାଂଶ ଆଜି କାଲିକା ଅତ୍ୟାଧୁନିକ ତଥା କଥିତ ଉଚ୍ଚ ଶିକ୍ଷିତ ଙ୍କ ମଧ୍ୟରେ ବହୁଳ ଦେଖା ଯାଏ।ଆଉ ଯେଉଁ ମାନେ
ସର୍ବଭାରତୀୟ ସ୍ତରରେ ଆଇଏଏସ କି ଆଇପିଏସ୍ ବାହାରୁଛନ୍ତି, ଅଧିକାଂଶ ଲୋକଙ୍କ ଆତ୍ମ ଗର୍ବ ବେଶି। ଅନ୍ୟକୁ ତୁଛ,ହେୟ ଜ୍ଞାନ ମନେ କରିବର ପୁଳା ପୁଳା ଉଦାହରଣ ମିଳିବ । ଏମାନଙ୍କ ଶିଷ୍ଟାର, ମାନବିକତା ଧୀରେ ଧୀରେ ବିଲୁପ୍ତ। ଏମାନଙ୍କ ଶିକ୍ଷା ଓ ଚାକିରି କେବଳ ଇଂରେଜୀ ଶାସନ ଢାଞ୍ଚାରେ ଗଢା। ଅନ୍ୟକୁ ଡୋମିନେଟ କରିବା ଆଉ ଭୋଗ ବିଳାସରେ ଜୀବନ ନିର୍ବାହ କରିବା ହେଉଛି ସେବା ନାଁ ରେ ଏକ ପ୍ରହସନ।
ଆମ ପୂର୍ବଜ ମାନେ ବଳିଦାନ ଦେଇ ଭାରତକୁ ସ୍ବାଧୀନତା ଆଣିଥିଲେ କ’ଣ ପାଇଁ ? ତାଙ୍କର ସ୍ବପ୍ନ ଥିଲା କ’ଣ ? ମହାତ୍ମାଗାନ୍ଧୀ ଆଉ ଡଃ ଭୀମରାଓ ଆମ୍ବେଦକରଙ୍କ ସ୍ବପ୍ନ ଥିଲା କ’ଣ ? ଏ ଦେଶ,ଏ ସମାଜର ଗତି କୁଆଡ଼େ? ଆମକୁ ବୁଝିବାକୁ ଆଉ ଡେରି ନାହିଁ।ଏବେ ସମୀକ୍ଷା କରିବାର ବେଳ ଆସିଯାଇଛି।
ଆମ ନେତା। ଆମକୁ ପ୍ରତିଶ୍ରୁତି ଦିଅନ୍ତି। ଶେଷରେ ପ୍ରତାରଣା କରନ୍ତି। ନିର୍ବାଚନ ବେଳେ ଗାଁ ଗାଁ ବୁଲି, ସାହି ଗଳିରେ ହାତ ଯୋଡି, ମିଠା ମିଠା କଥା କହନ୍ତି। ନତା ବନି ଗଲା ପରେ ଗାଁ ମାଟି ମାଡନ୍ତ। ଆଜି ବି ଗାଁରେ ଦାରିଦ୍ର୍ୟତା। ହା ଅନ୍ନର ଚିତ୍କାର। ଦାଦନ ସମସ୍ୟା। ଚାଳ ଘର। କଚା ରାସ୍ତା। ବର୍ଷା ଦିନେ ରାସ୍ତା
ଘାଟ କାଦ ପଚ୍ ପଚ୍। ଖରା ଦେନେ ପାନୀୟ ଜଳର ଉତ୍କଟ ସମସ୍ଯା। ଏ ନେତା ମାନେ ପଦପଦବୀ ପାଇଲା ପରେ , ସେମାନଙ୍କ ଚିତ୍ର ଚରିତ୍ର ବଦଳି ଯାଏ। ନିର୍ବାଚନ ଖର୍ଚ୍ଚ ଉଠାଇବା
ପାଇଁ ଦୁର୍ନୀତି କରିବାକୁ ଛଟପଟ ହୁଅନ୍ତି। ଅମଲା ତନ୍ତ୍ର ସହିତ ହାତ ମିଳାଇ ରାଜ୍ୟ ରାଜକୋଷକୁ ଚଳୁ କରନ୍ତି। ପାଞ୍ଚ ବର୍ଷ ପରେ ପୁଣି ଘର ଘର ବୁଲି ମିଠା ମିଠା କଥା ଗୁଡାକ କହନ୍ତି। ଏମିତି ଡାଇବେଟିସ କଥା ଶୁଣି ଶୁଣି, ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଅଧିକାଂଶ ଲୋକମାନେ ଏବେ ଡାଇବେଟିସ ରୋଗୀରେ ଆକ୍ରାନ୍ତ। ଆଜି କାଲିର ମିଠା କଥା,କେବଳ ନିଜର ସ୍ବାର୍ଥ ହାସଲ ପାଇଁ ଅଭିପ୍ରେରିତ। ଏଣୁ ସମସ୍ତେ ସାବଧାନ ହେବା ଆବଶ୍ୟକ। ଅନେକ ଲୋକ ଏବେ ମିଠା କହି,କାମ ହାସଲ ଲାଗି ତତ୍ପର। ଫାଇଦା ଉଠାଇବାକୁ ଯୋଜନା ବଦ୍ଧ ପ୍ରବୃତ୍ତିର ପ୍ରବୀଣ। ଏଣୁ ଆମେ ଏ ସବୁ ଛଳନାକାରୀ ଶକୁନିମାନଙ୍କୁ ଚିହ୍ନି ରାସ୍ତାରେ ନ ଚାଲିଲେ ପଦେ ପଦେ ସର୍ବନାଶ ହେବାର ଯଥେଷ୍ଟ ସମ୍ଭାବନା ଅଛି।

(ଆଲେଖ୍ଯ: କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋହନ:୯୪୩୭୭୭୯୪୪୭

Leave A Reply

Your email address will not be published.