ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ–୨୦୨୬ ପାଳନ ନେଇ ପ୍ରସ୍ତୁତି ବୈଠକ ।

0 73

ଛତ୍ରପୁର,୧୮/୦୨(ପିପିଟି): ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ବହୁ ପ୍ରତିକ୍ଷିତ ଚୈତ୍ର ପର୍ବ ଆରମ୍ଭ ହେବାକୁ ଯାଉଛି । ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଚୈତ୍ର ପର୍ବ ସଫଳତାର ସହ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସର ୪ ଟି ମଙ୍ଗଳବାର ଯଥା ୧୦, ୧୭, ୨୪ ଏବଂ ୩୧ ତାରିଖ ଦିନ ଏହି ପର୍ବ ମହାଆଡମ୍ବରରେ ଅନୁଷ୍ଠିତ ହେବ । କ୍ରମଶଃ ମାଙ୍କ ପୀଠକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାକୁ ଲାଗିଛି । ତେଣୁ, ଚଳିତ ବର୍ଷ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବିଗତ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହେବାର ସମ୍ଭାବନା ରହିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗୀୟ ଅଧିକାରୀମାନେ ପ୍ରାକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ପାଇଁ ଜ଼ିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଭକ୍ତମାନଙ୍କ ଯାତାୟତ ପାଇଁ ଅଧିକ ବସର ବ୍ୟବସ୍ଥା, ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ, ଅନ୍ନ ପ୍ରସାଦ, ମୁଣ୍ଡନ ସକାଶେ ଉପଯୁକ୍ତ ସ୍ଥାନ ନିରୂପଣ, ସାଜସଜ୍ଜା ଓ ଆଲୋକୀକରଣ,ତୋରଣ ନିର୍ମାଣ, ଦୈନିକ ପୂଜାବିଧି,ଚଣ୍ଡୀ ଯଜ୍ଞ, ଆଇନ ଶୃଙ୍ଖଳା ପରିସ୍ଥିତି, ଦୀପ ଲଗାଇବା ସ୍ଥାନ, ଟ୍ରାଫିକ ନିୟନ୍ତ୍ରଣ, ଭ୍ରାମ୍ୟମାଣ ଶୌଚାଳୟ, ପରିମଳ,ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ସମେତ ଅଂଶୁଘାତ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା,ଦାନ,ରାସ୍ତା ମରାମତି, ଅସ୍ଥାୟୀ ସୂଚନା କେନ୍ଦ୍ର, ଭଜନ ସମାରୋହ,ରୋପୱେ ଯାତ୍ରୀ ପରିବହନ ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ବିଗତ ବର୍ଷ ମାନଙ୍କରେ ଯେଉଁ ସବୁ ଅସୁବିଧା ପରିଲିକ୍ଷିତ ହୋଇଥିଲା ତାହା ଯେପରି ଏ ବର୍ଷ ପୁନରାବୃତ୍ତି ହେବ ନାହିଁ ସେଥିନିମନ୍ତେ ବିଶେଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବିଗତ ବର୍ଷ ଭଳି ଚାରୋଟି ସ୍ଥାନରେ ମୁଣ୍ଡନ କରାଯିବ । ସେଠି ଭକ୍ତମାନଙ୍କ ପାଇଁ ଆଲୋକୀକରଣ ଓ ସୁରକ୍ଷାବ୍ୟବସ୍ଥା କରାଯିବ। ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ଠାରୁ ଅଧିକ ସଂଖ୍ୟକ ବସ ନିୟୋଜିତ କରାଯିବ । ମନ୍ଦିର ଉପରକୁ ଯିବାପାଇଁ ବର୍ତ୍ତମାନ ବସ ଟିକଟ ୪୦ ଟଙ୍କା ରହିଛି ତାସହିତ ରୋପୱେ ଟିକଟ ୬୦ ଟଙ୍କା ରହିଛି ଚୈତ୍ର ପର୍ବ ସମୟରେ ମଧ୍ୟ ଏହି ମୂଲ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ।

ଜିଲ୍ଲାର ମାନ୍ୟବର ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆରକ୍ଷୀ ଅଧିକ୍ଷକ, ଗଂଜାମ ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ,ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ପୁରୁଷୋତ୍ତମପୁର ଶରତ କୁମାର ପତ୍ର , ଟ୍ରଷ୍ଟର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ସେବାୟତ ବାପୁଜୀ ରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.