ମା’ ଆସୁଛନ୍ତି ବୋଲି ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ।

0 197

ବୋଲଗଡ଼, ୧୨/୦୯(ପିପିଟି) :ଆରମ୍ଭ ହୋଇଯାଇଛି ପାର୍ବଣ ଊତୁ। ଆଉ ଦିନ କେଇଟା ପରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯିବ । ଏ ନେଇ ଚଳଚଞ୍ଚଳ ହୋଇ ଉଠିବ ସହର ଠାରୁ ଗ୍ରାମାଞ୍ଚଳ। ଏହି ମା’ଙ୍କ ଆଗମନର ବାର୍ତ୍ତା ନେଇ ଆସିଛି କାଶତଣ୍ଡୀ। ପ୍ରକୃତି ମଧ୍ଯ କାଶତଣ୍ଡୀରେ ସଜେଇ ହୋଇ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରି ଦେଇଛି । ନଦୀପଠା, ବିଲବାଡି, ପଡିଆ ତଥା ରାସ୍ତାକଡରେ ଧଳା ରଙ୍ଗର କାଶତଣ୍ଡୀ, ପବନରେ ଲହରୀ ଭାଙ୍ଗୁଛି । ପ୍ରବଳ ଖରାର ଝାଂଜି ଏବଂ ଲଗାଣ ମୁଷଳ ଧାରା ବର୍ଷାର ଅବସାନ ପରେ ଏବେ କାଶତଣ୍ଡୀ ହସି ଉଠିଛି । କାଶତଣ୍ଡୀ ର ସ୍ମୀତହସକୁ ଦେଖି କବି ଓ ଭାବୁକ ଆତ୍ମ ବିଭୋର ହୋଇ ଲେଖି ଚାଲିଛନ୍ତି ମନର ଭାବନାର କଥା | ଖାଲି ସେତିକି ନୁହଁ
ଜନମାନସରେ ଭିନ୍ନ ଏକ ପୁଲକ ସୃଷ୍ଟି କରିବା ସହ ନୂତନ ବିଶ୍ଵାସ ସୃଷ୍ଟି କରିଛି । ଭବିଷ୍ୟତର ନୂତନ କାର୍ଯ୍ୟ ସୂଚୀକୁ ନେଇ ଖୁବଶ୍ରୀଘ ଆଗୁଆ ହୋଇ ଝିରି ଝିରି ସୁକ୍ଷ୍ମ କେଶୀ କାଶତଣ୍ଡୀ ପୃଥ‌ିବୀ ପୃଷ୍ଠରେ ପଦାର୍ପଣ କରିଛି । ସତେଯେମିତି ଧରା ପୃଷ୍ଟରେ ସମସ୍ତଙ୍କୁ ସ୍ଵାଗତ କରିବା ନିମନ୍ତେ ନିଜକୁ ଧଳା ଚଦରରେ ସଜେଇ ଦେଇଛି | ଗାଁ ଗହଳିର ସାମାଜିକ ଜୀବନରେ କାଶତଣ୍ଡୀର ମହତ୍ତ୍ଵ ସବୁଠାରୁ ଅଲଗା ଆଉ ଅନନ୍ୟ । ଶୁଭ୍ର ସ୍ଵଚ୍ଛତାର ବାର୍ତ୍ତା ବହନ କରୁଥିବା ଏଇ କାଶତଣ୍ଡୀକୁ ନା କିଏ ରୋପଣ କରେ ନା କିଏ ତାର ଯତ୍ନ ନେଇଥାଏ । ଆପଣାଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କୁଆଡେ ଉଭେଇଯାଏ । । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଗୁଆ ପଦାର୍ପଣ କରିଥିବା କାଶତଣ୍ଡୀ ମା’ଙ୍କ ଆଗମନର ବାର୍ତ୍ତା ଦେବା ସହିତ ସମଗ୍ର ପରିବେଶକୁ ବିମଳ ନିର୍ମଳ କରିବାରେ ଲାଗି ପଡିଛି ତାର ଅବର୍ଣ୍ଣନୀୟ ଆନନ୍ଦ ସହ ଓ ମାନବ ସମାଜର ପ୍ରେମର ବାର୍ତ୍ତାକୁ ନେଇ । ଜଞ୍ଜାଳମୟ ଜୀବନକୁ ଉପଭୋଗ କରିବା ଆଧ୍ୟାତ୍ମିକତାରେ କିଛିସମୟ ହଜିଯିବାର ବାର୍ତ୍ତା ନେଇ କାଶତଣ୍ଡୀ ଆଜି ପ୍ରଚୁର ଭାବେ ଫୁଟି ଉଠିଛି | ସମାଜରେ ନୁଆ ବିଶ୍ୱାସ ନୂଆ ଆଶା ସଞ୍ଚାର କରୁଛି । ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ। ଏହି ହାସ୍ୟମୟୀ କାଶତଣ୍ଡୀ ପ୍ରକୃତିର ଜନମାନସକୁ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.