ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ।

0 191

ମାଲକାନଗିରି,୦୬/୦୩(ପିପିଟି):ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ର ବିଧାୟକ ନରସିଂହ ମାଡ଼କାମୀ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଧାୟକ ନିର୍ବାଚନମଣ୍ଡଳୀ ବିକାଶ ସମିତି ବୈଠକରେ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ମାଲକାନଗିରି, କାଲିମେଳାଓ ପଡ଼ିଆ– ଏହି ତିନୋଟି ବ୍ଲକରୁ ପ୍ରତ୍ୟେକ ବ୍ଲକରୁ ୩ଟି ଲେଖାଏଁ ଗାଁ ଚୟନ କରି ଆଦର୍ଶ ବା ମଡେଲ୍ ଗ୍ରାମ ଭାବେ ରୂପାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ବୈଠକରେ ବିଧାୟକ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚିହ୍ନଟ ଗାଁଗୁଡ଼ିକରେ ତୁରନ୍ତ ଏକ ବିସ୍ତୃତ ସର୍ଭେ କରାଯାଇ ବର୍ତ୍ତମାନର ବିକାଶ ସ୍ଥିତି, ଆବଶ୍ୟକତା ଓ ଗ୍ୟାପ୍ ମୂଲ୍ୟାଙ୍କନ କରାଯାଉ। ଏହି ଗ୍ୟାପ୍ ପୂରଣ ପାଇଁ କଣ କଣ କାର୍ଯ୍ୟ କରିବାକୁ ପଡ଼ିବ ତାହାର ଏକ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ପ୍ରକ୍ରିୟାରେ ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। ବିଡ଼ିଓମାନେ ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଏକ ବିସ୍ତୃତ ଡିପିଆର ପ୍ରସ୍ତୁତ କରିବେ। ଏହି ଡିପିଆର ଆଧାରରେ ଚିହ୍ନଟ ଗାଁଗୁଡ଼ିକୁ ସମଗ୍ରାତ୍ମକ ବିକାଶ ମାଧ୍ୟମରେ ଆଦର୍ଶ ଗ୍ରାମ ଭାବେ ଗଢ଼ି ତୋଳାଯିବ।ବୈଠକରେ ବିଧାୟକ ଶ୍ରୀ ମାଡ଼କାମି ସମସ୍ତ ବିଭାଗର ଚଳିତ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ଏବଂ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ତ୍ଵରାନିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ମାଲକାନଗିରିର ପ୍ରସିଦ୍ଧ ମଲ୍ଲିକେଶ୍ୱର ମନ୍ଦିର ଓ ଭୈରବୀ ମନ୍ଦିରର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ଜଳ ଅଭାବ ଥିବା ଗାଁଗୁଡ଼ିକୁ ଚିହ୍ନଟ କରିବା ପାଇଁ ମଧ୍ୟ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗାଁଗୁଡ଼ିକରେ ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।
ଏହା ବ୍ୟତୀତ ବିଧାୟକ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରାମବାସୀମାନଙ୍କ ସହ ଆଲୋଚନା ଓ ବୈଠକ କରି କେଉଁ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରାଯିବ, ସେଥି ନିମନ୍ତେ ଚୁଡାନ୍ତ ନିଷ୍ପତ୍ତି ନେବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପଦକ୍ଷେପ ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ବିକାଶ, ଉନ୍ନତ ଜୀବନଧାରଣ, ଶିକ୍ଷା ଓ ଆଦିବାସୀ ସମ୍ପ୍ରଦାୟର ସମୁଦାୟିକ ଉନ୍ନତି ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ସ୍ଥାନୀୟ ଲୋକେ ବିଧାୟକଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମକୁ ବ୍ୟାପକ ସ୍ୱାଗତ ଜଣାଇଛନ୍ତି। ଏହି ବୈଠକରେ ଜିଲ୍ଳାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.