ମାଲକାନଗିରି ଦୈନିକ ହାଟର ଦୁରବସ୍ଥା ।

0 207

ମାଲକାନଗିରି,୦୧/୦୮(ପିପିଟି) :ମାଲକାନଗିରି ପୌରାଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଥିବା ବେଳେ ନିତି ଦିନ ପନିପରିବା କ୍ରୟ ଲାଗି ସୁଭାଷ ବୋଷ ଛକ ନିକଟରେ ଅବସ୍ଥିତ ଦୈନିକ ହାଟ ଉପରେ ସମସ୍ତେ ନିର୍ଭରଶୀଳ। ୨୦୦୨/୦୩ ଆର୍ଥିକ ବର୍ଷରେ ଏଠାରେ ଆଠ ଗୋଟି ପିଣ୍ଡି ପରିବା ବ୍ୟବସାୟୀ ମାନେ ବସି ବିକ୍ରୟ ଲାଗି ନିର୍ମାଣ କରାଯାଇଥିଲା। ଆଜକୁ ଦୀର୍ଘ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ମରାମତି ଅଭାରୁ ଛାତ ଫାଟି ବର୍ଷା ଋତୁରେ ପାଣି ନିର୍ଗତ ହେଉଛି। ଏଣୁ କିଛି ପନିପରିବା ବ୍ଯବସାୟୀ ଜରି ଟାଣି ବସିବାକୁ ବାଧ୍ୟ ହେଉଛନ୍ତି। କେତୋଟି ପିଣ୍ଡିର ଛାତର ବାହ୍ଯ ଅଂଶ ଭାଙ୍ଗି ତଳେ ପଡ଼ିବା ଯୋଗୁଁ ଏହାର ସ୍ଥାୟୀତ୍ବ ଦୁର୍ବଳ ହେବାରେ ଲାଗିଛି। ଯେଉଁ ମାନେ ପନିପରିବା କ୍ରୟ ଲାଗି ଯାଉଛନ୍ତି,ଅତି ସତର୍କତାରେ ପିଣ୍ଡି ନିକଟସ୍ଥ ହେଲା ବେଳେ ମନରେ ଭୟ ସଞ୍ଚାର ହେଉଛି। କସ୍ମିନି କାଳେ ଦୁର୍ବଳ କଙ୍କ୍ରିଟ ଖଣ୍ଡ ମୁଣ୍ଡ ଉପରେ ପଡ଼ି ପ୍ରାଣ ହାନି ଘଟି ପାରେ। ଅନେକ ପିଣ୍ଡିର ଛାତ ଫାଟି ଲୁହା ରଡ୍ ଦୃଶ୍ୟମାନ ହେଉଛି।ତଥାପି ବିପଦ ସଂକୁଳ ଅବସ୍ଥାରେ ପରିବା ବ୍ୟବସାୟୀ ମାନେ ବସିବାକୁ ବାଧ୍ୟ ହେଉଛନ୍ତି। କିଛି ପନିପରିବା ବ୍ୟବସାୟୀଙ୍କୁ ସ୍ଥାନ ଅଭାବରୁ ଅଧିକାଂଶ ତଳେ ବସିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନେଇ ନାହିଁ। ମାଲକାନଗିରି ଆରଏମସି ଦ୍ଵାରା ପ୍ରତ୍ୟେକ ପରିବା ବେପାରୀଙ୍କ ଠାରୁ ଦୈନିକ ୨୦ ଟଙ୍କା ଟିକସ ଆଦାୟ କରୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ ତଥା ମରାମତି ସଂପୁର୍ଣ୍ଣ ଶୂନ୍ୟ କହିଲେ ଚଳେ। ଦୈନିକ ବଜାର ସଫାସୁତୁରା ପାଇଁ ପ୍ରତି ମାସରେ ପରିବାର ବ୍ୟବସାୟୀଙ୍କ ଠାରୁ
୫୦ ଟଙ୍କା ଲେଖାଏଁ ଟାକ୍ସ ମାଲକାନଗିରି ପୌରପରିଷଦ କର୍ମଚାରୀମାନେ ସଂଗ୍ରହ କରୁଛନ୍ତି। ଏହି ହାଟଟି ମାନସିକ ୧୮ ହଜାର ଟଙ୍କାରେ ଆରଏମସି ଲିଜ୍ ସୂତାରେ ଅନ୍ୟ ଏକ ବେସରକାରୀ ବ୍ୟକ୍ତିଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ବାର୍ଷିକ ମୋଟ ଅର୍ଥ ଆଦାୟର ୨୦ ଅଂଶ ଧନ ଆରଏମସି ଠାରୁ ମାଲ୍ ପୌରପରିଷଦ ସଂଗ୍ରହ କରୁଛି। ନିୟମ ଦୃଷ୍ଟିରୁ ଆଦାୟ କରାଯାଉଥିବା ଟିକସରେ ସେହି ହାଟର ବିକାଶ କରିବା
କଥା। ମାତ୍ର ୨୩ ବର୍ଷ ହେଲା ଦୈନିକ ହାଟଟି ମାଲକାନଗିରି ସଦର ମହକୁମାରେ ଥାଇ ମଧ୍ୟ ଅବହେଳିତ। ଆରଏମସିର
ଚେୟାରମେନ ଭାବେ ଉପଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରିଥିଲେ
ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଜଣା ପଡ଼ିଛି।ମାଛ ମାଂସ ବିକ୍ରୟ ଲାଗି ଦରଦାମ ତାଲିକା କୌଣସି ଫଳକରେ ଲେଖି ଖାଉଟିମାନଙ୍କ ଗୋଚରାର୍ଥେ ଟଙ୍ଗା ଯାଇଥିବାରୁ ମନ ଇଚ୍ଛା ମାଛ ମାଂସ ଦର ବୃଦ୍ଧି ପାଉଛି। ଦୈନିକ ହାଟରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଉନ୍ନୟନମୂଳକ ଭାବଧାରର ଘୋର ଅଭାବ ଯୋଗୁଁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.