ମାଲକାନଗିରି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ପୁନଃଗଠନ ।

0 350

ମାଲକାନଗିରି,୦୪/୦୯ ଦୀର୍ଘ ତିନି ବର୍ଷ ପରେ ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ, ମାଲକାନଗିରିର ପୁନଃଗଠନ କରାଯାଇଛି। ସ୍ଥାନୀୟ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା, ମାଲକାନଗିରିର ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ପଦାଧିକାରୀଗଣ ଉପସ୍ଥିତ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ବେଦବର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ,ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ବିଭାଗ ଅଧିକାରୀ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ଚନ୍ଦନ କୁମାର ଭୋଇ, ଖଣି ବିଭାଗ ଅଧିକାରୀ ସତ୍ଯେନ୍ଦ୍ର ସର୍ଦ୍ଦାର,ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ ମାଲକାନଗିରି, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସମେତ ମାଲକାନଗିରି ଜିଲ୍ଲାର ସମସ୍ତ ସାତଗୋଟି ବ୍ଲକରୁ ପ୍ରତ୍ୟେକ ବିଭାଗରେ କାର୍ଯ୍ୟରତ ଶତାଧିକ ଆଦିବାସୀ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥି ନିମନ୍ତେ ସାତଗୋଟି ବ୍ଲକର ସଭାପତି ଭାବେ ଭଗବାନ ଶିଶା ( ଖଇରପୁଟ),ବୃନ୍ଦାବନ ମାଝୀ ( ମାଥିଲି), ଗଙ୍ଗାଧର ଖରା (ଚିତ୍ରକୋଣ୍ଡା), ଅର୍ଜୁନ ପଡିଆମି ( ମାଲକାନଗିରି), ବୁଦୁ ବଡନାୟକ ( କାଲିମେଳା), ମଧୁସୂଦନ ମାଡକାମି ( କୋରୁକୋଣ୍ଡା), ଈଶ୍ୱର ଚନ୍ଦ୍ର ସାୱଲାମ ( ପଡିଆ) ବ୍ଲକ ଓ ଅନ୍ୟାନ୍ୟ ସକ୍ରିୟ କର୍ମଚାରୀଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ଏକ ସୁଦୃଢ଼ କମିଟି ଗଠିତ ହୋଇଛି।
ଏହି କମିଟିରେ ସାତଗୋଟି ବ୍ଲକରୁ ତେରଗୋଟି ଆଦିବାସୀ ସଂପ୍ରଦାୟରୁ ସକ୍ରିୟ କର୍ମଚାରୀଙ୍କୁ ଚୟନ କରାଯାଇ ଜିଲ୍ଲା କମିଟିରେ ସ୍ଥାନିତ କରାଯାଇଛି । ଉକ୍ତ କମିଟିରେ ସର୍ବମୋଟ ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ଆନନ୍ଦ ମାଡିଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଯାଇଛି। ଏହା ଛଡ଼ା କେତକୀ ନାୟକ ( ଉପ ସଭାନେତ୍ରୀ), କୋମଳ ଲୋଚନ ବାକା ( ଉପସଭାପତି), ଅଭିମନ୍ୟୁ ହଲବା ( ସାଧାରଣ ସମ୍ପାଦକ), ବାଲାଜୀ ଖରା( ସହ ସମ୍ପାଦକ), ଈଶ୍ୱର ଚନ୍ଦ୍ର ନାୟକ ( ସାଂଗଠନିକ ସମ୍ପାଦକ), ରଘୁନାଥ ନାୟକ ( ସାଂଗଠନିକ ସହ ସମ୍ପାଦକ), ଘନଶ୍ୟାମ ଗାଡାଙ୍ଗ ( କୋଷାଧ୍ୟକ୍ଷ) ଏବଂ କାର୍ଯ୍ୟକାରୀଣି ସଦସ୍ୟ / ସଦସ୍ୟା ଭାବେ ମୁନି କବାସୀ, ସରସ୍ୱତୀ ପୂଜାରୀ, ବିକ୍ରି ଆଜମିରା, ରାମଚନ୍ଦ୍ର ଦୁରୁଆ, ସନାତନ ସମରଥ, ପାଉଲ୍ ମାର୍ଡି, ଅନନ୍ତ ଖିଲ, ଲକ୍ଷ୍ମଣ ଖରା, ରବି ଗୋଲପେଦା, ଦୁର୍ଯ୍ୟୋଧନ ମାନ୍ଦ୍ରା, ମନୋଜ କୁମାର ତାଙ୍ଗୁଲ,ରମେଶ ଚନ୍ଦ୍ର ମାଡି ଏବଂ ଉପଦେଷ୍ଟା ଭାବେ କାନ୍ଦ୍ରା ହାଁସଦା,ଜଗଦୀଶ କାର୍ତ୍ତାମି, ମାଡା ମାଡକାମି, ନରସିଂହ ନାୟକଙ୍କୁ ଚୟନ କରାଯାଇଛି।
ପୁନଃଗଠିତ ସମସ୍ତ କର୍ମକର୍ତ୍ତାଙ୍କୁ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠା ଓ ମର୍ଯ୍ୟାଦାର ସହ ସୂଚାରୁ ରୂପେ ତୁଲାଇବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମାତୃଶକ୍ତି, ପିତୃଶକ୍ତି ଓ ପ୍ରକୃତି ଶକ୍ତିଙ୍କୁ ସାକ୍ଷୀ ରଖି ଶପଥ ଗ୍ରହଣ କରାଇଥିଲେ।
ଏହି ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଉପସ୍ଥିତ ଅତିଥିମାନେ ଅନେକ ମହତ୍ତ୍ୱପୂର୍ଣ୍ଣ ଦିଗଦର୍ଶନ ପ୍ରଦାନ କରିଥିଲେ। ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ସଂଗଠନକୁ ସୁଦୃଢ଼ କରିବା ସହିତ ସମାଜର ଅନ୍ୟାନ୍ୟ ଅନେକ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ, ଶିକ୍ଷା, ସ୍ୱାସ୍ଥ୍ୟ ସହିତ ନିଜ ଆଦିବାସୀ ଭାଷା, ସଂସ୍କୃତି, ପରମ୍ପରାର ପ୍ରଚାର ପ୍ରସାର କରିବା ସହ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରାଯିବ, ବିଶେଷ କରି ଶିକ୍ଷା କ୍ଷେତ୍ରରେ ଯେଉଁ ଗରିବ ଛାତ୍ରଛାତ୍ରୀମାନେ ଅର୍ଥାଭାବରୁ ଉଚ୍ଚ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ପ୍ରଥମ ପ୍ରାଧାନ୍ୟ ଦିଆଯିବ, ଜିଲ୍ଲାର ପ୍ରତ୍ୟେକ ବିଭାଗରେ କାର୍ଯ୍ୟରତ ତଳ ସ୍ତରରୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଯଦି କୌଣସି କର୍ମଚାରୀ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ହୁଏ, ତେବେ ସଂଗଠନ ତରଫରୁ ତୁରନ୍ତ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି।କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ସୁପରିଚାଳନା କରିଥିଲେ।

(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.