ମାଲକାନଗିରି,୨୩/୦୭(ପିପିଟି) :ବାଲେଶ୍ବର ଫକୀରମୋହନ କଲେଜରେ ପେଟ୍ରୋଲ ଢ଼ାଳି ଜଣେ ଛାତ୍ରୀର ଆତ୍ମଦାହ ପରେ ସମଗ୍ର ରାଜ୍ୟରେ ଖୋଲାଖୋଲି ଭାବେ ପେଟ୍ରୋଲ କୌଣସି ପ୍ଲାଷ୍ଟିକ ବୋତଲରେ ବିକ୍ରୟକୁ ବାରଣ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅବାଧରେ ପେଟ୍ରୋଲ ସମଗ୍ର ପଥପ୍ରାନ୍ତରେ ଥିବା ଦୋକାନ ଗୁଡିକରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରାଯାଉଛି। ଯଦିଓ ପୋଟ୍ରୋଲ ଖୋଲା ଖୋଲି ଭାବରେ କୌଣସି ତେଜରାତି ଓ ପାନ ଦୋକାନରେ ବିକ୍ରି କରିବା ଉପରେ କଟକଣା ରହିଛି, ତଥାପି ମାଲକାନଗିରି ଜିଲ୍ଲାରେ ଏହି କଟକଣାକୁ କିଏ ପାଳନ କରୁନଥିବା ଜଣା ପଡ଼ିଛି। ଏହାର ଏକମାତ୍ର କାରଣ ଜିଲ୍ଲା ଖାଉଟି ବିଭାଗର ଉଦାସୀନତା ଏବଂ ପେଟ୍ରୋଲ ପମ୍ପ ମାଲିକମାନଙ୍କ ବ୍ୟବସାୟୀକ ଲାଭଖୋର ମନୋବୃତ୍ତି ଏହାର ମୁଖ୍ୟ କାରଣ। ଅନ୍ୟ ପକ୍ଷରେ ପଥ ପ୍ରାନ୍ତ ଦୋକାନ ଗୁଡିକରେ ମାଳମାଳ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କାରେ କିଣି ୧୨୦ ଟଙ୍କାରେ ବିକ୍ରିୟ ଯୋଗୁଁ ପ୍ରତି ଲିଟର ପିଛା ସିଧାସଳଖ ୧୮ ଟଙ୍କା ଲାଭ। ଏଣୁ ବସିଥାଇ ପଥପ୍ରାନ୍ତରେ ଗଢିଉଠିଥିବା ଦୋକାନୀମାନେ ଏହି ବ୍ୟବସାୟକୁ ବର୍ଷ ବର୍ଷ ଆପଣେଇ ନେଇ ପେଟ୍ରୋଲ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରିବାର ଏହା ଏକ ସହଜ ଓ ସରଳ ରାସ୍ତା ।
ମାଲକାନଗିରି ଜିଲ୍ଲାରେ ସର୍ବମୋଟ ୨୫ ଗୋଟି ପେଟ୍ରୋଲ ଟାଙ୍କି
ରହିଛି। ମାଲକାନଗିରି ସଦର ମହକୁମାରେ ୫ଟି, ମାଲକାନଗିରି ବ୍ଲକରେ ୪ଟି, କାଲିମେଳା ବ୍ଲକରେ ୮ଟି , ମାଥିଲି ବ୍ଲକରେ ୩ଟି, ବାଲିମେଳା ଏନଏସି ରେ ୨ଟି ,କୋରୁକୋଣ୍ଡା ବ୍ଲକ, ଚିତ୍ରକୋଣ୍ଡା ବ୍ଲକ ଓ କୁଡୁମୁଲଗୁମ୍ମାରେ ଗୋଟାଏ ଲେଖାଏଁ ପେଟ୍ରୋଲ ପମ୍ପ ରହିଛି।ମାଲକାନଗିରି ସଦର ମହକୁମାରେ ପେଟ୍ରୋଲ ପମ୍ପ ଥିଲେ ମଧ୍ୟ ଏଠାରେ ବିଭିନ୍ନ ତେଜରାତି ଦୋକାନ ଗୁଡିକରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ରଖାଯାଇ ଖୋଲାଖୋଲି ଅବାଧ ବିକ୍ରି କରାଯାଉଛି। ଏହା ବ୍ୟତିତ ମାଲକାନଗିରି ସଦର ମହକୁମାରୁ ପାଣ୍ଡ୍ରିପାଣି,ପାଙ୍ଗାମ, ମାଥିଲି, ଗୋବିନ୍ଦ ପଲ୍ଲୀ ଛକ, ଗୋବିନ୍ଦପଲ୍ଲୀ, ଖଇରପୁଟ,କୁଡୁମୁଲଗୁମା, ବାଲିମେଳା ଛକ, ବାଲିମେଳା ଏନଏସି,କୋରୁକୋଣ୍ଡା,ତାର୍ଲାକୋଟା ପୋଟ୍ରେଲ ଛକ,ଏମଭି -୧୧ ଆଦି ପଥପ୍ରାନ୍ତରେ ପେଟ୍ରୋଲ ଖୋଲାଖୋଲି ଭାବେ ବିକ୍ରୟ ହେଉଛି। ସେହିପରି ମାଲକାନଗିରି ସଦର ମହକୁମା ଠାରୁ ଏମଭି -୭, ଏମଭି -୧୩,ଏମଭି-୧୮,ଏମଭି-୧୭, ଶିଖ ପଲ୍ଲୀ,ଏମଭି-୧୯ ,ପଟେରୁ,କାଙ୍ଗୁରକୋଣ୍ଡା,ଏମଭି-୬୪, ଏମଭି -୧୦ଏମଭି-୨୩, ଏମଭି -୬୬ , କାଲିମେଳା ଆଦି ପଥପ୍ରାନ୍ତରେ ପେଟ୍ରୋଲ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସେହିପରି କାଲିମେଳା ଠାରୁ ଏମଭି-୭୨, ଏମଭି -୭୯ ଏବଂ ମୋଟୁ ଆଦି ସ୍ଥାନ ଗୁଡିକରେ ଖୋଲାଖଲି ବୋତଲରେ ପେଟ୍ରୋଲ ବିକ୍ରି ହେଉଛି। ସେହି ପରି ପଡ଼ିଆ ବ୍ଲକରେ ପେଟ୍ରୋଲ ଟାଙ୍କି ନଥିବାରୁ କାଲିମେଳା ଠାରୁ ପଡିଆ ରାସ୍ତାରେ ଥିବା ସମସ୍ତ
ଦୋକାନ ଗୁଡିକରେ ଅବାଧରେ ପେଟ୍ରୋଲ ବିକ୍ରି ହେଉଛି । ଅନ୍ୟ ପକ୍ଷରେ ପଡିଆ ଠାରୁ ଭାୟା ଇରାଲଗୁଣ୍ଡି, ମାଟାପକଖ ଏବଂ ଶିଖ ପଲ୍ଲୀ ଆଦି ରାସ୍ତାରେ ଥିବା ସମସ୍ତ ପଥ ପ୍ରାନ୍ତ ଗାଁ ଦୋକାନ ଗୁଡିକରେ ପେଟ୍ରୋଲ ଏକ ଲାଭଜନକ ବ୍ୟବସାୟ ରେ ପରିଣତ ହୋଇଛି। ତେବେ ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଅବାଧରେ ସର୍ବତ୍ର ଓ ସର୍ବାଧିକ ପେଟ୍ରୋଲ ବିଭିନ୍ନ ତେଜରାତି ଏବଂ ପାନ ଦୋକାନ ରେ ବିକ୍ରି ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)