ମାଲକାନଗିରି ଜିଲ୍ଲାରେ ଧାନ କିଣା କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 221

ମାଲକାନଗିରି, ୨୪/୧୨(ପିପିଟି):ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ମାଲକାନଗିରି ଜିଲ୍ଲାରେ ଆଜି ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଚାଷୀ ମାନେ ସେମାନଙ୍କର ପରିଶ୍ରମର ଫଳ ପାଇବେ। ଚାଷୀ ମାନେ ଧାନର ବର୍ଦ୍ଧିତ ମୂଲ୍ୟର ଲାଭ ପାଇବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଚଳିତ ୨୦୨୫-୨୬ ଖରିଫ୍ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଏଫଏକ୍ୟୁ ମାନର ସାଧାରଣ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩୬୯ ଟଙ୍କା ଉପରେ ଇନପୁଟ ସହାୟତା ଟଙ୍କା ସହ ସର୍ବ ମୋଟ ୩୧୦୦ ଟଙ୍କା ରାଜ୍ୟ ସରକାର ଧାନର ଦର ସ୍ଥିର କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁରୁଖୁର ରେ ଧାନ କ୍ରୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚାଷୀ ମାନେ କିଭଳି ଉଚିତ୍ ମୂଲ୍ୟ ପାଇବେ ସେଥି ନିମନ୍ତେ ପ୍ରଶାସନ ଯତ୍ନବାନ ରହିଛି ବୋଲି ମଧ୍ଯ ଜିଲ୍ଲାପାଳ କହିଛନ୍ତି। ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ଚାଷୀ ମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାରେ ୬୮ଟି ମଣ୍ଡି ରହିଥିବା ବେଳେ ୪୭୭୭୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ ଏବଂ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିସହ ସମସ୍ତ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି ।ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ସହ ଚାଷୀ ମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଚାଷୀ ମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଉପ ଜିଲ୍ଲାପାଳ ଅଶ୍ନି ଏ ଏଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିଆରସିଏସ ଥିଓଫିଲ ଶବର, ଆରଏମସି ସଂପାଦକ ସଞ୍ଜୟ କୁମାର ଦାସ,ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଓ ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Leave A Reply

Your email address will not be published.