ମାଲକାନଗିରି,୨୧/୦୩(ପିପିଟି) :ମାଲକାନଗିରି ଜିଲ୍ଲା ଆଶାକର୍ମୀ ସଂଘ ତରଫରୁ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ମାଧ୍ୟମ ରେ ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ଅଧୀନରେ ସମଗ୍ର ଦେଶରେ ୧୦ ଲକ୍ଷ ୫୦ ହଜାର ଆଶା କର୍ମୀ କାର୍ଯ୍ୟ ରତ ଥିବା ବେଳେ ଏହି ଆଶାକର୍ମୀ ମାନଙ୍କ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ବାସ୍ଥ୍ୟ ସଂପର୍କୀତ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା, ନାଗରିକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା,ଟିକାକରଣ,ପୋଲିଓ , ଗର୍ଭଧାରଣ ମା’ଙ୍କ ଗର୍ଭଧାରଣ ଠାରୁ ପ୍ରସବ ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଇବା,ସଫା ସୁତୁରା ଓ ସ୍ବଛତାର ତାତ୍ପର୍ଯ୍ୟ ସଂପର୍କରେ ସଚେତନତା କରେଇବା, ସ୍ବଛ ପାନୀୟ ଜଳ ଓ ଶୌଚାଳୟ ଆଦି କାର୍ଯ୍ୟରେ ସହାୟତା କରିବା କାର୍ଯ୍ୟରେ ଆଶାକର୍ମୀ ମାନେ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସଂପୃକ୍ତ ଅଟନ୍ତି। ମାତ୍ର ଏ ସବୁ କାର୍ଯ୍ଯ ପାଇଁ ଅଦ୍ୟାବଧି କୌଣସି ମାସିକ ଦରମା ପ୍ରଦାନ କରାଯାଇ ନଥିବା ବେଳେ ସରକାର ଦ୍ବାରା କେବଳ ସାମାନ୍ଯ ପ୍ରୋତ୍ସାହନ ରାଶି ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଉଛି।
ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଲାଗି ବାରମ୍ବାର ଆନ୍ଦୋଳନ
ସରକାରଙ୍କ ନିକଟରେ କରାଯାଉଥିବା ବେଳେ ଗତ ୧୧ ଡିସେମ୍ବର ୨୦୧୮ ତାରିଖରେ ପ୍ରଧାନ ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ଯମରେ ଆଶାକର୍ମୀ ମାନଙ୍କ ପ୍ରୋତ୍ସାହନ ରାଶି
ଦୁଇ ଗୁଣା ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ। ମାତ୍ର ଏହା
କାର୍ଯ୍ୟକାରୀ ହୋଇ ନାହିଁ।
ବର୍ତ୍ତମାନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା ଶାଖା ଆଶାକର୍ମୀ ସଂଘ ର ସଭାପତି ଶ୍ରୀମତୀ ତାପତି ବିଶ୍ବାସ ଓ ସଂପାଦକ ସୁବାସିନୀ ସହାଣୀ ଙ୍କ ନେତୃତ୍ବରେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସେଗୁଡିକ ହେଲା
, ଆଶାକର୍ମୀ ମାନଙ୍କୁ ମାସିକ ଦରମା ୧୦ ହଜାର ପ୍ରଦାନ କରିବା, ଅବସର କାଳିନ ଭତ୍ତା ପ୍ରଦାନ କରିବା, ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା, ଅବସର ସମୟରେ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା, ଅଭିଜ୍ଞତା ଥିବା ଆଶାକର୍ମୀ ମାନଙ୍କୁ ଟିକାକରଣ ସଂପର୍କରେ ପ୍ରଶିକ୍ଷଣ ଦେବା, ଯୋଗ୍ୟତା ଅନୁସାରେ ପଦୋନ୍ନତି ଦେବା, ବର୍ଷାକୁ ୨ ଥର ୟୁନିଫର୍ମ ପୋଷାକ ଦେବା, ଆଶା କର୍ମୀମାନଙ୍କୁ ବିଶ୍ରାମ ପାଇଁ ଚିକିତ୍ସାଳୟ ପରିସରରେ ଗୃହ ନିର୍ମାଣ କରିବା, ଆଶାକର୍ମୀ ମାନଙ୍କୁ ଯାତ୍ରା କାଳିନ ଭତ୍ତା ପ୍ରଦାନ କରିବା ଆଦି ଦାବି ପତ୍ରରେ ଉଲ୍ଲେଖ କରା ଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)