ମାଲକାନଗିରି ଅଞ୍ଚଳ ଦଣ୍ଡକାରଣ୍ୟର ମହାକାନ୍ତାରର ଏକ ଅଂଶ ବିଶେଷ। ଏହି ଅଞ୍ଚଳରେ ମୁଖ୍ୟତଃ ଆଦିବାସୀ ମାନେ ବସବାସ କରନ୍ତି। ବଣ୍ଡା,ଡିଡାୟୀ,କୋୟା,କନ୍ଧ,ପରଜା, ସାନ୍ତାଳ, ବାଞ୍ଜାରା, ହାଲୱା, ଧରୁଆ ,ଭୂମିଆ, ମାଟିଆ,ଶବର ଅନ୍ୟତମ।୧୯ ୫୮ ମସିହାରେ ବଙ୍ଗୀୟ ଶରଣାର୍ଥୀମାନେ ମାଲକାନଗିରି ଅଞ୍ଚଳରେ ଥଇଥାନ କରାଯାଇଥିଲା। ଏହି ପ୍ରକଳ୍ପ କୁ ଦଣ୍ଡକାରଣ୍ୟ ପ୍ରକଳ୍ପ କୁହାଗଲା।ବିଶେଷ କରି ୧୩୨ ଟି ଏମ ଭି ଗ୍ରାମ ଏବଂ ୮୧ ଟା ଏମପିଭି ଗ୍ରାମ ଜଙ୍ଗଲ କୁ କଟା ଯାଇ ଥଇଥାନ କରା ଗଲା ।ଏହି ଅଞ୍ଚଳଟି ୧୯୯୨ ମସିହା ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଦିନ ଜିଲ୍ଲାର ମାନ୍ୟତା ପାଇଲା।ପୂର୍ବେ ଏହା କୋରାପୁଟ
ଜିଲ୍ଲାର ଅଧିନସ୍ଥ ରହିଥିଲା। ୧୯୩୬ ମସିହା ପୂର୍ବରୁ କୋରାପୁଟ ଅଞ୍ଚଳଟି ମାଡ୍ରାସ ପ୍ରୋଭିନସରେ ରହିଥିଲା। ମାଲକାନଗିରି ଜିଲ୍ଲା ଟି ୭ଟି ବ୍ଲକ୍ କୁ ନେଇ ଗଠିତ। ସେଗୁଡିକ ହେଲା ପଡିଆ, କାଲିମେଳା, ମାଲକାନଗିରି,କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି। ମାଲକାନଗିରି ଜିଲ୍ଲାର ମୋଟ କ୍ଷେତ୍ର ଫଳ ୫,୭୯୧ ବର୍ଗ କିଲୋମିଟର। ୧୯୫୧ ମସିହାରେ ଏହାର ଜନସଂଖ୍ୟା ୧,୦୬,୬୩୭ ରହିଥିଲା ବେଳେ ୨୦୧୧ ମସିହାରେ ଏହାର ଜନସଂଖ୍ୟା ୬,୧୩,୧୯୯ ରହିଛି। ଜନସାଧାରଣଙ୍କ ମୁଖ୍ୟ ଜୀବୀକା ହେଲା କୃଷି।
ଏହି ମାଟିରେ ଏକଦା ରାମଚନ୍ଦ୍ର ବନ ଗମନ ସମୟରେ ରହଣି କରିଥିଲେ ।ମାଲ୍ଯନ୍ତଗିରିରୁ ମାଲକାନଗିରି ଉତ୍ପନ୍ନ ହୋଇଥିବା ଜନମତ ରହିଛି। ମାଲକାନଗିରି ଜିଲ୍ଲା ର ଖଇରପୁଟ ବ୍ଲକ ପରେ ଥିବା ସୀତା କୁଣ୍ଡ ଅନ୍ୟ ଏକ ବଳିଷ୍ଠ ପ୍ରମାଣ ଭାବେ ଶ୍ରୀରାମଙ୍କ ଆଗମନର
ବରିଷ୍ଠ ପ୍ରମାଣ। କିମ୍ବଦନ୍ତୀ ଅନୁସାରେ ଏକଦା ମାତା ସୀତା
ଏକ ଝରଣାରେ ସ୍ନାନ କରୁଥିଲେ। ବଣ୍ଡା ରମଣୀ ମାନେ ସୀତାଙ୍କ ବିବସନ ଅବସ୍ଥାରେ ସ୍ନାନ କରୁଥିବା ଦୃଶ୍ୟ ଦେଖି ହସି
ଦେଇ ଥିଲେ। ଏଥି ରେ ମା ସୀତା ନାରୀ ହୋଇ ନାରୀର ଅଙ୍ଗ
ଦର୍ଶନ କରି ତାତ୍ସଲ୍ୟ କରିବା ହେତୁ ସେ ବଣ୍ଡା ରମଣୀ ମାନଙ୍କୁ
ସମଗ୍ର ଜୀବନ ଉଲଗ୍ନ ଅବସ୍ଥାରେ ରହିଥିବା ପାଇଁ ଅଭିଶାପ ଦେଇଥିଲେ। ଏହା ବ୍ୟତୀତ ଲଣ୍ଡିତ ମୁଣ୍ଡ ହେବା ପାଇଁ ଅଭିଶାପ ପ୍ରଦାନ କରିଥିଲେ।ଏଣୁ ସୀତାଙ୍କ ଅଭିଶାପ ଯୋଗୁଁ ବଣ୍ଡା ସମ୍ପ୍ରଦାୟର ରମଣୀ ମାନେ ଉଲଗ୍ନ ଓ ଲଣ୍ଡିତ ମୁଣ୍ଡ ହୋଇ ରହିବା ପ୍ରଥା ପରମ୍ପରାର ଦୃଷ୍ଟି ଗୋଚର ହୁଏ। ଅବଶ୍ୟ ଜିଲ୍ଲା ଗଠନ ହେଲା ପରେ ତତ୍କାଳୀନ ଜିଲ୍ଲାପାଳ ଗଗନ କୁମାର ଧଳ ବଣ୍ଡା ସମ୍ପ୍ରଦାୟର ରମଣୀ ମାନଙ୍କୁ ବସ୍ତ୍ର ପରିଧାନ କରିବା ଓ ମୁଣ୍ଡରେ କେଶ ରଖିବାକୁ ସଚେତନ କରାଇଥିଲେ । ବଣ୍ଡାମାନେ ହେଉଛନ୍ତି ୬୦ ହଜାର ତଳର ପ୍ରାଚୀନ ଜନଜାତି ।ଏ ଜିଲ୍ଲାର ମୂଳ ବାସିନ୍ଦା। ପରେ ଅନ୍ୟାନ୍ୟ ଜନଜାତି ଲୋକମାନେ ବସବାସ କରିଥିଲେ। ଏହି ପାହାଡ ଯଦିଓ ମାଲ୍ଯବନ୍ତ ଗିରି ନାମରେ ସର୍ବତ୍ର ପ୍ରସିଦ୍ଧ। ସେହି ପରି ଏହି ପାହାଡକୁ ଗୋଇ ପାହାଡ ମଧ୍ୟ କହିଥାନ୍ତି। ପାହାଡ ଟି ମାଲକାନଗିରି ସଦରମହକୁମା ରୁ ଚାଲାଣଗୁଡା ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଦୂର ପର୍ଯ୍ୟନ୍ତ ପ୍ରଲମ୍ବିତ। ଏହା ଦେଖିବା ଗୋଇ ସଦୃଶ୍ୟ ହେତୁ, କେହି କେହି ଗୋଇ ପାହାଡ ବୋଲି କହିଥାନ୍ତି।ଅନ୍ଯ କେହି କେହି ଏହି ପାହାଡ଼ରେ ବେଶି ଗୋଇ ବାସ କରୁଥିଲେ ବୋଲି,ଗୋଇ ପାହାଡ କହିଥାନ୍ତି। ତେବେ ଏହି ପାହାଡକୁ ମଧ୍ୟ ଦେବ ଡଙ୍ଗର ବୋଲି କହିଥାନ୍ତି। ତେବେ ଦେବ କିଏ ? ଦେବ କହି କଲେ ଶିବଙ୍କୁ ବୁଝାଏ। ଏଣୁ ଶିବ ଏହି ପାହାଡର ମୁଖ୍ୟ ଦେବତା ହେତୁ “ଦେବ ଡଙ୍ଗାର” କହିବାରେ ଯଥାର୍ଥତା ରହିଛି।
ମାଲକାନଗିରି ବସଷ୍ଟାଣ୍ଡରୁ ମାତ୍ର ୨ କିମି ଦୂର ଅତିକ୍ରମ କଲେ
ମାଲ୍ଯବନ୍ତ ପର୍ବତ ଶିଖରରେ ଅବସ୍ଥିତ ମଲ୍ଲୀକେଶ୍ବର ମନ୍ଦିର। ଏହି ମନ୍ଦିରଟି ପ୍ରାକୃତିକ ପରିବେଶ ମଧ୍ୟରେ ନିର୍ମିତ ହୋଇଥିବାରୁ ଭକ୍ତଙ୍କ ପାଇଁ ଶାନ୍ତ କାନ୍ତ ବାତାବରଣ ସୃଷ୍ଟି କରି
ବିମୁଗ୍ଧ କରିଥାଏ । ଶିବ ଲିଙ୍ଗଟି ପ୍ରାକୃତିକ ଅଟେ । କୈାଣସି ମାନବ ନିର୍ମିତ ଶିବ ଲିଙ୍ଗ ନୁହେଁ। ଶିବ ସ୍ବୟଂ ଆବିର୍ଭାବ ହୋଇଛନ୍ତି। ଏହି ଲିଙ୍ଗର ଉଚ୍ଚତା ପ୍ରାୟ ସାତ ହାତ । ମୂଳ ଗୋଲେଇ ମଧ୍ୟ ସାତ ହାତ ହେବ। ଏଭଳି ବିଶାଳ କାୟ ଶିବଲିଙ୍ଗ ଅନ୍ୟତ୍ର ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।ଏହି ମନ୍ଦିରକୁ ଯିବା ପାଇଁ ୫୬୦ ଗୋଟି ପାହାଚ ଅତିକ୍ରମ କରିବାକୁ ପଡେ। ଏଠାରେ ଆଦିବାସୀ ସଂପ୍ରଦାୟର ପୂଜକମାନେ ପୂଜାରୀ କାର୍ଯ୍ୟ ନିର୍ବାହ କରନ୍ତି। ପ୍ରତ୍ୟେକ ସୋମବାର ଦିନ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ମଲ୍ଲୀକେଶ୍ବର ଙ୍କୁ ଦର୍ଶନ କରି ମନସ୍କାମନା ପୂର୍ଣ୍ଣ କରିଥାଆନ୍ତି। ବିଶେଷ କରି ଶୈବ ରାତ୍ରି ଦିନ ଏଠାରେ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ଏବଂ ଓଡିଶା ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ଭିଡ଼ ହୁଏ। ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଭକ୍ତମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥାଏ ।ଦେବ ଦେବ ମହାଦେବଙ୍କ ନାମ ମଲ୍ଲୀକେଶ୍ବର ହେବାର କାରଣ,ଏହି ବିଶାଳକାୟ ଶିବ ଲିଙ୍ଗଟି ମାଲ୍ଯବନ୍ତ ପାହାଡ ଚୂଡାରେ କେଉଁ ଅନାଦି କାଳରୁ ଲୁକ୍କାୟିତ ଅବସ୍ଥାରେ ରହିଥିବା ବେଳେ ସଦା ସର୍ବଦା ବଣ ମଲ୍ଲୀ ଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା। ଦିନେ ଜଣେ ଧନୁର୍ଜୟ ପୂଜାରୀ ଭକ୍ତକୁ ସ୍ବପ୍ନାଦେଶ ହେବାରୁ ଉକ୍ତ ସ୍ଥାନକୁ କିଛି ଶୈବ ଭକ୍ତ ମୃଦଙ୍ଗ, ଘଣ୍ଟ, ବଜାଇ ସେଠାରେ ପହଞ୍ଚିଥିଲେ। ବଣ ମଲ୍ଲୀ ଫୁଲ ଲତାରେ ଆବୃତ୍ତ ହୋଇ ରହିଥିବା ଶିବ ଲିଙ୍ଗଙ୍କୁ ଆବିଷ୍କାର କରିଥିଲେ। ଭଗବାନ ଶଙ୍କର ସ୍ବୟଂ ସମ୍ଭୁତ ହୋଇଥିବା ଦୃଶ୍ୟ ସମସ୍ତ ଜନ ମାନସକୁ ସ୍ତମ୍ଭିଭୂତ କରିଥିଲା। ପ୍ରାକୃତିକ ଶିବ ଲିଙ୍ଗଟି ମଲ୍ଲୀ ଫୁଲ ଦ୍ବାରା ଆବୃତ୍ତ ହୋଇ ରହିଥିବା ଯୋଗୁଁ ଦେବ ଦେବ ମହାଦେବଙ୍କ ନାମ ମଲ୍ଲୀକେଶ୍ବର ବୋଲି ଶ୍ରଦ୍ଧାଳୁମାନେ ନାମିତ କରିଥିଲେ। ତଦନୁସାରେ ମଲ୍ଲୀକେଶ୍ବର ପୂଜିତ ହୋଇ ଆସୁଛନ୍ତି।
ଏହି ମାଲ୍ଯବନ୍ତଗିରି ଏକ ପୁରାଣ ପ୍ରସିଦ୍ଧ ନାମ। ରାମାୟଣ ରେ ବର୍ଣ୍ଣିତ ମାଲ୍ଯବନ୍ତଗିରିରୁ କାଳକ୍ରମେ ଅପଭ୍ରଂଶ ହୋଇ ମାଲକାନଗିରି ନାମରେ ନାମକରଣ ହୋଇଥିବା ଜନମତ ରହିଛି। କେହି କେହି ପୁରାଣକାରମାନେ ରାମାୟଣରେ ଉଲ୍ଲେଖ କରାଯାଇଥିବା ମାଲ୍ଯବନ୍ତଗିରିକୁ ମାଲକାନଗିରିକୁ ଚିହ୍ନଟ କରିଛନ୍ତି। ଏକଦା ପ୍ରଭୁ ରାମଚନ୍ଦ୍ର,ଭାଇ ଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ନେଇ ବନବାସ କରିବା ସମୟରେ ଏହି ମାଲ୍ଯବନ୍ତଗିରିରେ ବର୍ଷା ଚତୁର୍ମାସ ଅତିବାହିତ କରିଥିଲେ। ବିଶ୍ବାସ କରାଯାଏ ଯେ, ଏହି ମାଲ୍ଯବନ୍ତଗିରିରେ ରହି ପ୍ରଭୁ ରାମଚନ୍ଦ୍ର ଏହି ପ୍ରାକୃତିକ ଶିବଲିଙ୍ଗକୁ ପୂଜାର୍ଚ୍ଚନା କରୁଥିଲେ । ପରବର୍ତ୍ତୀ ସମୟରେ ଏହି ପ୍ରାକୃତିକ ଲିଙ୍ଗଟି ଅପୂଜିତ ହୋଇ ଘଞ୍ଚ ଅରଣ୍ୟର ପାହାଡ଼ ଚୂଡାରେ ଲୁକ୍କାୟିତ ଅବସ୍ଥାରେ ରହିଥିଲା । ପ୍ରଥମେ ଧନୁର୍ଜୟ ପୂଜାରୀ ଙ୍କୁ ସ୍ବପ୍ନାଦେଶ ହେଲା ମଲ୍ଲୀ କେଶ୍ବର ନାମରେ ପୂଜା ବିଧି ଆରମ୍ଭ ହୋଇଥିଲା। ଧନୁର୍ଜୟ ପୂଜାରୀ ହେଉଛନ୍ତି ମଲ୍ଲୀକେଶ୍ବର ମହାଦେବଙ୍କର ପ୍ରଥମ ପୂଜାରୀ । ତାଙ୍କର ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ନାତି ଶଙ୍କର ପୂଜାରୀ ୧୩ ବର୍ଷ ହେଲା ପୂଜାକ ଭାବେ ମନ୍ଦିରର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି।
ଏହି ପାହାଡରେ ବଡ ବଡ ୩ ଗୋଟି ଗୁମ୍ଫା ରହିଛି। ଲୋକମାନେ ଏହି ଗୁମ୍ଫା ଦେଇ ଯାତାୟତ କରୁ ଥିଲେ। ଗୁମ୍ଫା ଗୁଡିକ ଅନ୍ଧାରମୟ ଥିଲା। ଏଠାରେ ହିଂସ୍ର ଜନ୍ତୁ ଏବଂ ସରୀସୃପ ଙ୍କ ସୁରକ୍ଷିତ ସ୍ଥାନ ଥିଲା। ବର୍ତ୍ତମାନ ବିପଦ ସଂକୁଳ ହେତୁ ଗୁମ୍ଫାଗୁଡିକୁ ଅବରୋଧ କରା ଯାଇଅଛି। ଜନଶ୍ରୁତି ଅଛି ଯେ ଏହି ଗୁମ୍ଫାରେ ରାମଚନ୍ଦ୍ର ବନବାସ ସମୟରେ ରହୁଥିଲେ। ଏବଂ
ଶିବଙ୍କୁ ଆରାଧନା କରୁଥିଲେ । ପରବର୍ତ୍ତୀ ସମୟରେ ମୁନି ଋଷିମାନେ ମଧ୍ୟ ତପସ୍ୟାରେ ଲିପ୍ତ ରହିଥିଲେ । ବର୍ତ୍ତମାନ ଏହି ମାଲ୍ଯବନ୍ତ ପାହାଡରେ ୨ ଗୋଟି ପୁଷ୍କରିଣୀ ରହିଛି। ପ୍ରଥମ ପୁଷ୍କରିଣୀ ନାମ ରାଜା ପୋଖରୀ ଏବଂ ଅନ୍ୟଟିର ନାମ ରାଣୀ ପୋଖରୀ। ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଜଣା ଯାଇଥାଏ ଯେ ମଲ୍ଲିକ ମର୍ଦ୍ଦନ ନାମକ ଜନୈକ ରାଜା ଏଠାରେ
ରାଜୁତି କରୁଥିଲେ। ଏଠାରେ ଏକ ଅସ୍ଥାୟୀ ରାଜ ପ୍ରାସାଦ ରହିଥିଲା । କାଳକ୍ରମେ ଏହା ଧ୍ବଂସାଭିମୁଖୀ ହେବାର ନଜିର ରହିଅଛି। କିଛି ଧ୍ବଂସାବଶେଷ ବର୍ତ୍ତମାନ ବିଦ୍ୟମାନ। କିନ୍ତୁ ପୋଖରୀ ଦୁଇଟି ପାହାଡର ଶିଖର ମାର୍ଗରେ ଆଜି ମଧ୍ୟ ଅତୀତର ସ୍ମୃତି ସ୍ବାକ୍ଷର ବହନ କରି ଆସିଛି। ଏହା ସତ୍ୟ ଯେ ଅତୀତରେ ପ୍ରାଚୀନ ସଭ୍ୟତା ଏଠାରେ ନିବାସ କରୁଥିଲା । ପୌରାଣିକ ବା ଐତିହାସିକ ଦୃଷ୍ଟିକୋଣରୁ ମାଲ୍ଯବନ୍ତ ଗିରିରେ
ଏହି ଶୈବପୀଠ ଅତି ପ୍ରାଚୀନ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମାଲ୍ଯବନ୍ତଗିରି ନିକଟରେ ସତୀଗୁଡା ଜଳ ଭଣ୍ଡାର । ପ୍ରାକୃତିକ
ସୌନ୍ଦର୍ଯ୍ୟ ଅବିସ୍ମରଣୀୟ ଆକର୍ଷଣ।ଶୀତ ଦିନେ ନବାଗତ ବିଦେଶୀ ପକ୍ଷୀଙ୍କ ସମାଗମ ଅତି ମନୋରମ।
ବର୍ତ୍ତମାନ ମଲ୍ଲୀକେଶ୍ବର ମନ୍ଦିରକୁ ଯିବା ପାଇଁ ଏକମାତ୍ର ପାହାଚର ବ୍ୟବସ୍ଥା ରହିଛି । ୫୬୦ ଫୁଟ ପାହାଚ ଚଢିବା ପାଇଁ ବୟସ୍କ ଲୋକ,ହୃଦରୋଗୀ, ଶ୍ବାସ ରୋଗୀ ପାଇଁ କଷ୍ଟ ସାଧ୍ୟ ବ୍ୟାପାର। ଏଣୁ ଏହାର ପାର୍ଶ୍ୱବର୍ତ୍ତୀ ପାହାଡ ଅଞ୍ଚଳକୁ କଟା ଯାଇ
ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉଛି। ଏହି ରାସ୍ତା ଟି ପ୍ରାୟ ୨ କିମି ହେବ । କିନ୍ତୁ ୭୦୦ ମିଟର ରାସ୍ତା କାର୍ଯ୍ୟ ପାଇଁ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ବଳକା ରାସ୍ତା ପାଇଁ ବର୍ତ୍ତମାନର ମୋହନ ମାଝି ସରକାର ଅର୍ଥିକ ଅନୁଦାନ ଯୋଗାଇ ଦେଲେ ସଂପୂର୍ଣ୍ଣ ରାସ୍ତା କାର୍ଯ୍ୟଟି ସମ୍ଭବପର ହୋଇ ପାରିବ ।
ମନ୍ଦିର ପରିଚାଳନା ପାଇଁ କୈାଣସି ସରକାରୀ ଅନୁଦାନ ନାହିଁ। କେବଳ ଭକ୍ତମାନଙ୍କ ଦକ୍ଷିଣାରେ ମନ୍ଦିର ପୂଜାରୀ କିଛି ସହାୟତା ପାଇଥାନ୍ତି। ଅର୍ଥ ଅଭାବରୁ ଅନ୍ନ ଭୋଗର ବ୍ୟବସ୍ଥା ନାହିଁ। ମନ୍ଦିର ପରିଚାଳନା ପାଇଁ କୈାଣସି ଚାଷ ଜମି ନାହିଁ। ଘୋର ଆର୍ଥିକ ଦୁରବସ୍ଥା ଦେଇ ମନ୍ଦିର ଚାଲିଥିବା ବେଳେ ରାତ୍ରି ଯାପନ ଲାଗି ପୂଜକଙ୍କ ବାସଗୃହ ନାହିଁ। ରୋଷ ଶାଳା ମଧ୍ୟ ନାହିଁ। ବଡ଼ ପରିତାପର ବିଷୟ ଏହି କି ପାହାଡ ଉପରେ ଅର୍ଥାତ ମଲ୍ଲୀକେଶ୍ବର ମନ୍ଦିର ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ବିଦ୍ୟୁତ ବିଲ୍ ଭରଣା ଲାଗି କୈାଣସି ଆୟର ପନ୍ଥା ନାହିଁ ବୋଲି ପୂଜକ ଶଙ୍କର ପୂଜାରୀ ମତବ୍ୟକ୍ତ କରିଥିଲେ। ପରିଶେଷରେ ଏତିକି କୁହାଯାଇପାରେ ଯେ ମଲ୍ଲୀକେଶ୍ବରଙ୍କୁ ଆରାଧନା କଲେ ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଅସାଧ୍ୟ ରୋଗ ଆରୋଗ୍ୟ ହୋଇଥାଏ। ଅପୁତ୍ରିକ ପୁତ୍ରବତୀ ହୋଇଥାଏ । କୁଆଁରୀ କନ୍ୟା ପୂଜା କଲେ ଉତ୍ତମ ସୁନ୍ଦର ବର ପ୍ରାପ୍ତ ହୋଇଥାଏ । ସମସ୍ତ ଗ୍ରହ ପୀଡ଼ା ଦୂର ହୋଇଥାଏ । ଅକାଳ ମୃତ୍ୟୁ ଯୋଗ ଖଣ୍ଡନ ହୋଇ ଥାଏ । ଶତ୍ରୁ ବିନାଶ ହୋଇଥାଏ ।ଭୂତ ପ୍ରେତ ଓ ତାନ୍ତ୍ରିକ ଭୟ ଦୂର ହୋଇ ଥାଏ।
ଏମିତି ଅନେକ ବିଶ୍ବାସ ଲୋକଙ୍କ ମନରେ ଦୃଢିଭୂତ ହୋଇଛି।
ପ୍ରତ୍ୟେକ ସୋମବାର ଦିନ ଏଠାରେ ଶ୍ରଦ୍ଧାଳୁମାନଙ୍କ ଆଗମନ ରହିଥାଏ।ଏହା ଏକ ପବିତ୍ର ସ୍ଥାନ । ଯେଉଁଠି ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ସ୍ପର୍ଶ ରହିଛି। ଏ ମାଟିକୁ ମୁଣ୍ଡରେ ଲେପନ କଲେ ସକଳ ପାପରୁ ପରିତ୍ରାଣ ପାଇ ପାରିବ । ତେବେ ଏମିତି ଏକ ପବିତ୍ର ସ୍ଥାନ ରହିଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବରୁ ଏହାର ପ୍ରସିଦ୍ଧି ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ଯଦି ଏହି ପର୍ଯ୍ୟଟନ ସ୍ଥଳୀ କୁ ଓଡ଼ିଶାର ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନିତ ଲାଭ କରନ୍ତା ତେବେ ବହୁ ପର୍ଯ୍ୟଟକ ଆକୃଷ୍ଟ ହୋଇ ପ୍ରଭୁ ମଲ୍ଲୀକେଶ୍ବରଙ୍କୁ ଦର୍ଶନ କରି ନିଜକୁ ସୈାଭାଗ୍ୟ ମନେ କରନ୍ତେ । ଏଥିପାଇଁ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଗୁରୁ ଦାୟିତ୍ବ ରହିଛି।
ଆଲେଖ୍ୟ:କେଶବ ଚନ୍ଦ୍ର ନାୟକ (ଏମ୍.ଏ ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭