ମାଲକାନଗିରିରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ।

0 202

ମାଲକାନଗିରି, ୨୬/୦୧(ପିପିଟି):ମାଲକାନଗିରି ସଦର ମହକୁମାଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
ମନ୍ତ୍ରୀ ଶ୍ରୀ ଜେନା ସମସ୍ତ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମ୍ବିଧାନ ସଭାର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ୭୬ ବର୍ଷ ତଳେ ଏହି ଦିବସରେ ସମ୍ବିଧାନ ପ୍ରଣୟନ ହୋଇଥିଲା। ସମ୍ବିଧାନରେ ଭାରତକୁ ଏକ ଗଣତାନ୍ତ୍ରିକ , ଧର୍ମନିରପେକ୍ଷ, ସମାଜବାଦୀ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଦିମ ଜନଜାତି ଅଧ୍ୟୁଷିତ ଏହି ମାଲକାନଗିରି ଜିଲ୍ଲା ସମଗ୍ର ଓଡ଼ିଶା ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ମାଲକାନଗିରି ହେଉଛି ବୀରଙ୍କ ମାଟି। ଏହି ପବିତ୍ର ମାଟି ରେ ଲକ୍ଷ୍ମଣ ନାୟକଙ୍କ ସମେତ ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଗ୍ରହଣ କରିଛନ୍ତି । ଯେଉଁମାନେ କି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକାର ଟେକ ରଖିଛନ୍ତି । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାରେ ଆହୁରି ନୂଆ ରୁଟ୍ ଓ ଉନ୍ନତ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି।ପ୍ରକୃତି ମାଆର ଅଜସ୍ର ବରଦାନ ଭରା ଏହି ଜିଲ୍ଲା ଖଣିଜ ପଦାର୍ଥରେ ଭରପୁର। ଜିଲ୍ଲାରେ ରହିଥିବା ଖଣିଜ ଭଣ୍ଡାର ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢିତୋଳିବାରେ ସହାୟକ ହୋଇପାରିବ ଏବଂ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଛନ୍ତି।
ଏହି ପବିତ୍ର ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ସେହିଭଳି ଜଙ୍ଗଲ ବିଭାଗ ଦ୍ଵାରା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଉତ୍କୃଷ୍ଟ ପ୍ୟାରେଡ ପ୍ରଦର୍ଶନ କରିଥିବା ଦଳ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିବର୍ତ୍ତନ ଶିଶୁ ଗୃହର ଶିଶୁମାନଙ୍କୁ ମନ୍ତ୍ରୀ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ମଞ୍ଚରେ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଉପସ୍ଥିତ ଥିଲା ବେଳେ ସରୋଜ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ୟାରେଡରେ ସମୁଦାୟ ୨୭ ଗୋଟି ଦଳ ଭାଗ ନେଇଥିଲେ।ପୋଲିସ ଆରଆଇ ସତ୍ୟପ୍ରିୟ ବିଶ୍ଵାଳ ପ୍ୟାରେଡ୍ ର ନେତୃତ୍ୱ ନେଇଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ପୋଲିସ୍ ସରଜେଣ୍ଟ ବିଭୀଷଣ ଶବର ଉପସ୍ଥିତ ଥିଲେ। ପ୍ୟାରେଡରେ ବିଚାରକ ଭାବେ ସହାୟକ ଜିଲ୍ଲାପାଳ ତଥା ଅବସପ୍ରାପ୍ତ ନୌସେନା କର୍ମଚାରୀ ଅଜୟ ମାଣ୍ଡାଙ୍ଗି, ଡିଏସପି ଓନମ ଲାକ୍ରା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁରେଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ।ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରଭାତରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା। ସେହିଭଳି ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.