ମାଲକାନଗିରିରେ ଜନ ଜାତୀୟ ଗୌରବ ଦିବସ ପାଳିତ ।

0 256

ମାଲକାନଗିରି, ୧୫/୧୧(ପିପିଟି):ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମାଲ୍ୟବନ୍ତ ହଷ୍ଟେଲ ପରିସର ଠାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇ ଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଓ ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ବିର୍ସା ମୁଣ୍ଡାଙ୍କ ବୀରତ୍ଵର ଗାଥା ମନେ ପକାଇଥିଲେ। ଆଜି ଟଙ୍ଗଗୁଡା, ନିଲିମାରି, ତୁମୁସାପାଲ୍ଲୀ ଓ କୋତାମାଟେରୁ ସ୍ଥିତ ଆଶ୍ରମ ସ୍କୁଲ୍ ନିମନ୍ତେ ୪ ଗୋଟି ପ୍ରକଳ୍ପ ଉଦ୍ଘାଟନ କରାଯାଇଛି । ଜନଜାତି ଯୁବ ଉଦ୍ୟୋଗୀମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ହିତାଧିକାରୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲା ଆଦିବାସୀ ମହାସଂଘ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.