ମୃତ୍ୟୁର ପଞ୍ଝାରୁ କିଏ ବା ଖସିବ
ମୃତ୍ଯୁ ଦିନେ ନେବ କୋଳେଇ….
କାହିଁ ପାଇଁ ନର କରେ ଅହଂକାର
ଦୁଇ ଦିନ ପାଇଁ ବଡେଇ….!!
ପର ବିତ୍ତେ ଚିତ ବଳାଏ ବହୁତ
ପରସ୍ବ ହରଣେ ପାଏ ଶାନ୍ତି….
ଠୁଳ କରେ ଧନ ନଦିଏଟି ଦାନ
ସଂପତି କି ଦେବ ତାକୁ ମୁକ୍ତି…!!
ଭୋକିଲା ଲୋକଟି ଭୋକରେ ଆତୁର
କାତର କଣ୍ଠରେ ପାତେ ହାତ…
କାଣି କଉଡିଏ ଦିଏ ନା କୃପଣ
ଭାବେ ମଲା ବେଳେ ନେବ ବିତ୍ତ….!!
ମନ୍ଦଗୁଣ ଧରି କରେ ଆତ୍ମ ଗର୍ବ
ଅତ୍ଯଚାର ରଚେ କଉଶଳେ…
ଦେଇ ନିର୍ଯାତନା ହସେ ବିକଟାଳେ
ଭାବେ ସେହି ରାଜା ବାହୁ ବଳେ….!!
ଧରାକୁ ମଣଇ ସରାଟିଏ ପରି
ମଦ ମାଂସ ବୁଡି ବିତେ ଦିନ….
ଭାବେ ସେ ନିଜକୁ ବଳ ବୀର୍ଯ୍ଯଧାରୀ
ମହୀରେ ବଞ୍ଚିବ ଚିରଦିନ…!!
ଆତଙ୍କ ରଚାଏ କରେ ଧରି ଖଡ୍ଗ
ହତ୍ଯା କରିବାକୁ ଅଗ୍ରସର…
ବଳତ୍କାର କରି ହରେ କା ସତୀତ୍ବ
କା ନେତୃ ଝରାଏ ଅଶ୍ରୁଧାର…!!
ରହିନି ଏ ମର୍ତ୍ତ୍ଯରେ ମହାବଳଶାଳୀ
ଲଙ୍କାର ରାବଣ ମନ୍ଦମତି…
ରାମବାଣେ ଶେଷେ ହାରିଲା ଜୀବନ
ଯେଣୁ ଅତ୍ଯାତାର ହେଲା ପୂର୍ତ୍ତି…!!
ଶାନ୍ତି ମୈତ୍ରୀ ସମ ଚିନ୍ତାଧାରା
ମାନବର ସିନା ମୂଳମନ୍ତ୍ର….
ତୁ ପାମର ମର ଶରୀରକୁ ବହି
ମିଛେ ଜପୁ ମୃତ୍ଯୁଞ୍ଜୟ ମନ୍ତ୍ର…!!
ଏ ମର୍ତ୍ତ୍ଯ ମଣ୍ଡଳେ ଦେହ ବହୀ ଦିନେ
ସେପାରିକୁ ଯିବୁ ଚାଲି…
ଭଲ କର୍ମ କଲେ ପୂଜାତୁ ପାଇବୁ
ମନ୍ଦ କର୍ମେ ଶୁଣୁଥିବୁ ଗାଳି….!!
(ଉତ୍କଳରତ୍ନ କବି କେଶବ ଚନ୍ଦ୍ର ନାୟକ)
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନ:୯୪୩୭୭୭୯୪୪୭