ମାତ୍ର ୨ ହଜାର ଟଙ୍କାକୁ ନେଇ ହତ୍ୟାକାଣ୍ଡ;ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ।

0 210

ବେଗୁନିଆପଡା,୨୨/୧୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ଭାଟପଡା ଗ୍ରାମର ଜଣେ ବ୍ଯକ୍ତିଙ୍କୁ ମାତ୍ର ୨ ହଜାର ଟଙ୍କାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଗତ ୧୬ ଏପ୍ରିଲ୍ ୨୦୨୧ ମସିହାରେ ଘଟିଥିବା ଏଭଳି ଏକ ସାଂଘାତିକ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ବିଶ୍ବ ରଞ୍ଜନ ବେହେରା ଉକ୍ତ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଏ ବରିଡ଼ା ଗ୍ରାମର ରାଧାକୃଷ୍ଣ ସାହୁ ଓରଫ ଦହି କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ସୂଚନା ମୁତାବକ ରାଧାକୃଷ୍ଣ ସାହୁ ଓରଫ ଦହି ବାହାର ରାଜ୍ୟକୁ ଶ୍ରମିକ ନେଉଥିବା ବେଳେ କୋଦଳା ଥାନା ଭାଟପଡା ଗ୍ରାମର ମୃତ ଟୁକୁନା ଛାଟଇ ତାଙ୍କୁ ୨ ହଜାର ଟଙ୍କା ଦେବାକୁ ବାକି ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ଗତ ୧୬ ଏପ୍ରିଲ୍ ୨୦୨୧ ମସିହାରେ ମୃତ ଟୁକୁନା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ ବରିଡା ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତ ରାଧାକୃଷ୍ଣ ସେଠାରେ ତାଙ୍କୁ ଧାରୁଆ ଛୁରୀରେ ପେଟକୁ ଭୁସି ହତ୍ୟା କରିଥିଲେ। ମୃତକଙ୍କ ବାପା ଜୟରାମ ଛଟେଇ ଏନେଇ ଥାନାରେ ଏତଲା ଦେଇଥିଲେ। ମାମଲାରେ ୧୬ ଜଣଙ୍କ ସାକ୍ଷୀ ଆଧାରରେ ମାନ୍ଯବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋଦଳା ଆଜି ଏହି ରାୟ ଶୁଣାଇଛନ୍ତି। ଧାରା ୩୦୨ ରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜୋରିମାନା ଏବଂ ଜୋରିମାନା ଅନାଦୟେରେ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଧାରା ୩୨୪ ରେ ୧ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ହଜାର ଜୋରିମାନା ଏବଂ ଜୋରିମାନା ଅନାଦୟେରେ ଅଧିକ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏହି ମାମଲାକୁ ସରକାରୀ ଅତିରିକ୍ତ ପିପି ସୁବାଷ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.