ମାତୃଭାଷା ଭୁଲିଗଲେ, କିନ୍ତୁ ଭୁଲିପାରିଲେନି ମାତୃଭୂମିକୁ ; ୫୧ ବର୍ଷ ପରେ ଫେରି ଆସିଲେ ଜନ୍ମଭୂମିକୁ ।

0 70

ବେଲଗୁଣ୍ଠା, ୧୦/୧୦(ପିପିଟି) :ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଖୁସିର ପରିବେଶ । ଗ୍ରାମବାସୀ କିଛି ହଜାଇ ଦେଇଥିବା ଜିନିଷ ଖୋଜି ପାଇଲା ଭଳି ଅନୁଭବ କରୁଛନ୍ତି ।ଏହାର କାରଣ ହେଉଛି ଦୀର୍ଘ 51 ବର୍ଷ ପୂର୍ବେ ଗାଆଁରୁ ହଜିଯାଇଥିବା ପୁଅ ଜୀବନର ପରିଣତ ବୟସରେ ଗାଆଁକୁ ଫେରି ଆସିଛି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ରତଙ୍ଗ ଗ୍ରାମର କାଳୁ ରଣା ନିଜ ମାଆଙ୍କ ଅକାଳ ମୃତ୍ୟୁ ପରେ ଏଗାର ବର୍ଷ ବୟସରେ ରୋଜଗାର ଆଶାରେ 1974 ମସିହାରେ ଭଞ୍ଜନଗରରୁ ବସ୍ ରେ ଚଢି ଭୁବନେଶ୍ୱରର ଚାଲିଯାଇଥିଲେ ।ସେଠାରୁ ଟ୍ରେନ୍ ରେ ମଣିପୁରର ରାଜଧାନୀ ଇମ୍ଫାଲ ଯାଇ ସେଠାରେ ଏକ ଡ୍ୟାମ୍ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀଙ୍କୁ ଚାହା ପାଣି ଦେବା କାମରେ ନିଯୁକ୍ତ ହୋଇଥିଲେ । କିଛି ମାସ ପରେ ସେ ମଧ୍ୟପ୍ରଦେଶର ଫୁଲପୁର୍,ଆନପୂର୍ ଏବଂ ବିଜୟପୁର ଆଦି ଅଞ୍ଚଳରେ ରହିଥିଲେ । କ୍ରମେ ବିଜୟପୁରରେ କାଳୁ ଜଣେ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ଡାକ୍ତରଙ୍କ ପ୍ରସ୍ତାବରେ ତାଙ୍କ ଶଶୁର ଘର ଉତ୍ତରପ୍ରଦେଶର ବାଲିଆ ଜିଲ୍ଳା ଅଞ୍ଚଳକୁ ଯାଇ ସେଠାରେ ଡାକ୍ତରଙ୍କ ଶଶୁର ଘରେ ଘରକାମ ଏବଂ ଚାଷ କାମ କରିଥିଲେ । ପିଲାଟି ଦିନରୁ ଘର ଛାଡି ବାହାର ରାଜ୍ୟରେ ରହୁଥିବାରୁ ସେ ଓଡ଼ିଆ ଭୁଲିଯିବା ସହ ସେଠାକାର ଚାଲିଚଳଣି ଏବଂ ଭାଷାକୁ ଆପଣାଇନେଇଥିଲେ । କିନ୍ତୁ ଭୁଲି ପାରିନଥିଲେ ନିଜ ଜନ୍ମମାଟି ଆଉ ପରିବାର ଲୋକଙ୍କୁ । କାଳୁଙ୍କ କହିବା ପ୍ରକାରେ ତାଙ୍କ ସ୍ଵପ୍ନରେ ତାଙ୍କ ମାଆ ଆସୁଥିଲେ । ବୟସର ଅପରାହ୍ଣରେ କାଳୁଙ୍କୁ ନିଜ ଗାଆଁ ମାଟି ଅଧିକ ଆକର୍ଷିତ କରିଥିଲା । ତେଣୁ ସେ ଗାଆଁକୁ ଫେରିବାକୁ ନିଷ୍ପତି ନେଇଥିଲେ । ଭଞ୍ଜନଗର ବ୍ଳକ୍ ଗାମୁଣ୍ଡି ଗ୍ରାମର ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ,ଆଇନଜୀବୀ ସନ୍ତୋଷ ପାଳ, ବିପଦର ବନ୍ଧୁ ସ୍ଵେଚ୍ଛାସେବୀ ସଂଗଠନ ଏବଂ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଚେଷ୍ଟାରେ କାଳୁ ଗାଆଁକୁ ଫେରିପାରିବା ସହ ଖୁସି ପ୍ରକଟ କରିଛନ୍ତି । କାଳୁଙ୍କ ବର୍ତ୍ତମାନ ବୟସ 62 ବର୍ଷ । ସୂଚନା ପ୍ରକାରେ ତାଙ୍କ ବାପାଙ୍କ ନାମ ଥିଲା ରଘୁନାଥ ରଣା ଏବଂ କାଳୁ ତୃତୀୟ ଶ୍ରେଣୀ ପାଠ ପଢି ଆର୍ଥିକ ଅଭାବ ଯୋଗୁଁ ଗାଆଁ ଛାଡିଥିଲେ ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.