ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା,ସରକାରୀ ଦାଇତ୍ୱହୀନତାର ନଗ୍ନ ନମୁନା : ବାମପନ୍ଥୀ ଦଳ ପ୍ରତିନିଧି ମଣ୍ଡଳୀ ।

0 268

କନ୍ଧମାଳ,୦୩/୧୧(ପିପିଟି):କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ର ଜାଉ ଖାଇ ଦୁଇ ଜଣ ମହିଳାଙ୍କର ମୃତ୍ଯୁ ହୋଇଥିବା ବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି । ଗତକାଲି ଠାରୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସିପିଆଇ ଏବଂ ସିପିଆଇ (ଏମ. ଏଲ ) ଲିବରେସନ ଦଳର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧିମଣ୍ଡଳୀ ସର୍ବଶ୍ରୀ ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ (ଏମ. ଏଲ ) ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଆଦିବାସୀ ମହାସଭାର ନେତା ତିରୁପତି ଗମାଙ୍ଗ, ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ବ୍ଲକର ରାଜ୍ୟ ସମ୍ପାଦିକା ଦିଶା ଆଜାଦ, ଛାତ୍ରନେତା ରାଜୁ ମାଡକାମୀ ପ୍ରମୁଖଙ୍କ ନେତୃତ୍ୱରେ ଗତକାଲି ବ୍ରହ୍ମପୁରସ୍ଥ ଏମକେସିଜି ମେଡିକାଲକୁ ଯାଇ ଚିକିତ୍ସାଧୀନ ମହିଳାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଆଜି ଏହି ପ୍ରତିନିଧିମଣ୍ଡଳୀ ମାଣ୍ଡିପଙ୍କା ଗ୍ରାମକୁ ଯାଇ କ୍ଷତିଗସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗତ ଚାରି ମାସ ଧରି ମାଣ୍ଡି ପଙ୍କା ଗ୍ରାମବାସୀଙ୍କୁ ପିଡ଼ିଏସ ଚାଉଳ ମିଳିନଥିବା ଏବଂ ସେମାନଙ୍କ ପାଖରେ ଖାଦ୍ୟ ଶସ୍ୟର ଅଭାବ ଯୋଗୁଁ ସେମାନେ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ ହେଲେ ବୋଲି ଗ୍ରାମବାସୀମାନେ ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ପ୍ରକାଶ କରିଥିଲେ । ଜାଉ ଖାଇ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସ୍ଥାନୀୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ସତ୍ତ୍ୱେ ସେଠାରେ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ହେତୁ ସଠିକ ସମୟରେ ଚିକିତ୍ସା ହୋଇନପାରି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ମୃତ୍ଯୁ ବରଣ କରିଥିଲେ । ଅନ୍ୟମାନଙ୍କୁ ଏମକେସିଜି ମେଡିକାଲକୁ ନିଆଯାଇ ଚିକିତ୍ସା କରାଗଲା । ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ମାଣ୍ଡିପଙ୍କା ଗ୍ରାମ ଓ ଆଖପାଖ ଅଞ୍ଚଳରେ ଟେଲିଫୋନ ଟାୱାର ନଥିବା କାରଣରୁ ୧୦୮ ଆମ୍ବୁଲାନ୍ସ କୁ ମଧ୍ୟ ସଠିକ ସମୟରେ ଡକାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇ ପାରିନାହିଁ ବୋଲି ଗ୍ରାମବାସୀମାନେ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ । ଘଟଣାର ଚାରିଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିନିଧି କିମ୍ବା ଜଲ୍ଲାପାଳ ଘଟଣା ଘଟିଥିବା ମାଣ୍ଡିପଙ୍କା ଗ୍ରାମକୁ ଯାଇ ନଥିବା ଗ୍ରାମବାସୀମାନେ ଜଣାଇଥିଲେ । ସବୁ ବିଷୟ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଘଟଣା ପାଇଁ ଦାୟୀ ବୋଲି ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି । ତୁରନ୍ତ ମୃତ୍ଯୁ ବରଣ କରିଥିବା ମହିଳାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହିତ ୱାର୍ଡ ମେମ୍ବରମାନଙ୍କ ଜରିଆରେ ତୁରନ୍ତ ପିଡ଼ିଏସ ଚାଉଳ ଯୋଗାଇ ଦେବାକୁ ଦାବୀ କରିଛନ୍ତି । ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରିତ କରି ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ କରିବା ସହ ପ୍ରତ୍ବେକ ପଞ୍ଚାୟତରେ ଟେଲିଫୋନ ଟାୱାର ସ୍ଥାପନ କରାଇ ଟେଲିଯୋଗାଯୋଗକୁ ସୁଦୃଢ କରିବାକୁ ପ୍ରତିନିଧିମଣ୍ଡଳୀ ପକ୍ଷରୁ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବୀ କରିଛନ୍ତି ।

Leave A Reply

Your email address will not be published.