ଦୋବଲ,୦୮/୦୨: ମାଙ୍କୁ ଭିଡ଼ିଓ କଲ କରି ଝୁଲିପଡ଼ିଲା ପୁଅ। ଏଭଳି ଦୁଃଖଦ ଘଟଣା ଘଟିଛି ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଦଟିଆ ଗ୍ରାମର। ଏହି ଗ୍ରାମର ହରେକୃଷ୍ଣ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ (୨୮)କୋଲକାତାର ଦୀର୍ଘ ବର୍ଷ ହେବ ରହୁଥିଲେ। ତେବେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ,ନିତ୍ୟାନନ୍ଦ କୋଲକାତାର ଶିଆଲଦା ଅଞ୍ଚଳରେ ଫଳ,ଗ୍ରୋଷରି ସାମଗ୍ରୀ ଓ ପରିବା ଦୋକାନ କରି ବ୍ୟବସାୟ କରୁଥିଲେ। ଘଟଣା ସମୟରେ ସେ ନିଜ ମାଙ୍କ ସହିତ ଭିଡ଼ିଓ କଲରେ କଥା ହେଉଥିବାବେଳେ ଦୁଃଖଦ ଭାବେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପରିବାରସୂତ୍ରରୁ ଜଣାପଡ଼ିଛି ଯେ, ଦେନାଧାର ଓ ଆର୍ଥିକ ସମସ୍ୟାକୁ ନେଇ ସେ କିଛି ଦିନ ଧରି ମାନସିକ ଚାପରେ ଥିଲେ। ଗେମ୍ ସମ୍ପର୍କିତ ଟଙ୍କା ଧାର କରଜ ତାଙ୍କ ଆର୍ଥିକ ଭାର ବଢ଼ାଇଥିବା ମତ ମଧ୍ୟ ପ୍ରକାଶ ପାଉଛି। ଘଟଣା ସମ୍ବନ୍ଧରେ ଖବର ପାଇ ସ୍ଥାନୀୟ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପରେ ପରିବାରକୁ ସମର୍ପଣ କରିଛି। ଏହି ଅକାଳ ବିୟୋଗରେ ପରିବାର ସହିତ ଗ୍ରାମବାସୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏବେ ଗ୍ରାମ ମଶାଣିରେ ପହଞ୍ଚି ଶେଷକୃତ୍ୟ ହେଉଛି।