ଭଞ୍ଜନଗର, ୯/୧୦(ପିପିଟି): ସାଇବର କ୍ରାଇମକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ସାଇବର ସଚେତନତା ରଥ ରବିବାର ଭଞ୍ଜନଗର ଠାରେ ପହଞ୍ଚିବା ପରେ ଭଞ୍ଜନଗର ଆମ ପୁଲିସ ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ଅବସରରେ ସୋମବାର ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସରୋଜ ପୃଷ୍ଟି, ଭଞ୍ଜନଗର ଏସଡ଼ିପିଓ ବିଶ୍ଵାମିତ୍ର ହରପାଲ, ଥାନା ଅଧିକାରୀ ଭଗବାନ ପୂଜାରୀ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ମଲ୍ଲିକ ଯୋଗ ଦେଇ ସାଇବର ଠକଙ୍କ ଠାରୁ କିଭଳି ସତର୍କ ରହିବେ ସେ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ।ସାଇବର ରକ୍ଷକ ଅକ୍ଷୟ କୁମାର ଜେନା ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।ଏହାପରେ ସାଇବର କ୍ରାଇମ ଉପରେ ଏକ ଗୀତିନାଟ୍ୟ ପରିବେଷଣ ପରେ କୁଇଜ ପ୍ରତିଯୋଗିତାରେ ସଠିକ ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ଆମ ପୁଲିସ ସମିତିର ସଦସ୍ୟ, କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ