ଖୋର୍ଦ୍ଧା,୦୯/୦୮(ପିପିଟି): ଶ୍ରୀକ୍ଷେତ୍ରାଧିପତି କାଳିଆ ସାଆନ୍ତଙ୍କ ନୀଳଚକ୍ର ମନ୍ତ୍ରମୁଗ୍ଧକର । ଅଠର ନଳା ବାଟ ମଙ୍ଗଳାରୁ ଭକ୍ତମାନେ ନୀଳଚକ୍ରକୁ ଦେଖି ଛଳଛଳ ହୋଇଯାଏ ଆଖି। ଦୁଇ ହାତ ଟେକିଦେଇ କହିଥାଏ ଜୟ ଜଗନ୍ନାଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଅନେକ କିମ୍ବଦନ୍ତୀ ରହିଅଛି। ସେହିପରି ନୀଳଚକ୍ରର ମଧ୍ୟ ଅନେକ କିମ୍ବଦନ୍ତୀ ରହିଛି। ସନାତନ ଧର୍ମ ପରମ୍ପରା ଅନୁସାରେ ବିଷ୍ଣୁ ମନ୍ଦିର ଚୁଡାରେ କେବଳ ନୀଳଚକ୍ର ସ୍ଥାପନ ହୋଇଥାଏ।
ନୀଳଚକ୍ର ତଥା ଚକ୍ରରାଜ ସୁଦର୍ଶନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ଆୟୁଧ। ଏହା ଏକ ଧାତୁମୟଚକ୍ର ଯାହାକି ଶ୍ରୀମନ୍ଦିର ଚୁଡାରେ ସ୍ଥାପିତ ଥିବା ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ରର ଉଚ୍ଚତା ୧୧ଫୁଟ ୮ଇଞ୍ଚ,ବ୍ୟାସ ୭ଫୁଟ ୬ଇଞ୍ଚ ଏଥିରେ ୮ଅର ଅଛି। ପ୍ରତି ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ ଏବଂ ପରଧି ଫଳକର ମୋଟୋଇ ୨ଇଞ୍ଚ ଏବଂ ଓସାର ୯ଇଞ୍ଚ ଅଟେ।ଏଥିରେ ଅଧାଲୁହା, ପାଏ ତମ୍ବା,ସୁନା,ରୁପା,କଂସା,ପିତଳ,ଦସ୍ତା,ସୀସା,ଓ ପାରଦ ଛଅ ଧାତୁର ପାଏ ଭାଗ ଅଛି। ବଜ୍ରପାତରୁ ସୁରକ୍ଷା ଦେବା ନିମନ୍ତେ ବୈଜ୍ଞାନିକ ପ୍ରଣାଳୀରେ ୪ଇଞ୍ଚ ଓସାରର ଏକ ତମ୍ବାପାତିଆ ମନ୍ଦିରର ଦକ୍ଷିଣ ପଟେ ବିମଳା ମନ୍ଦିର ବେଢାପାର୍ଶ୍ୱରେ ଥିବା କୁହ ମଧ୍ୟରେ ପକାଇ ଦିଆଯାଇଛି।ପ୍ରତେକ ସଂକ୍ରାନ୍ତିରେ ନୀଳଚକ୍ରକୁ ନୀତି ଅନୁସାରେ ମାଜଣା କରା ଯାଇଥାଏ। ପୁରାଣ ଅନୁସାରେ ମହାପ୍ରଭୁଙ୍କର ଏହି ଆୟୁଧକୁ ନେଇ ରହିଛି ଏକ କିମ୍ବଦନ୍ତୀ। ତିନି ଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ହୋଇଥିଲେହେଁ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ..
ସୂର୍ଯ୍ୟାଦୟ ସମୟରେ ନୀଳଚକ୍ରର ବର୍ଣ୍ଣ ସମ୍ପୂର୍ଣ୍ଣ ଧଳାରଙ୍ଗ ହୋଇଯାଏ। ଏବଂ ସୂର୍ଯ୍ୟାସ୍ତ ସମୟରେ ଏହା ଗାଢ ନୀଳରଙ୍ଗ ଧାରଣ କରେ। ୧୯୬୪ ମସିହା ଅକ୍ଟୋବର ମାସ ୬ତାରିଖରେ ଭୟଙ୍କର ଝଡ଼ ତୋଫାନ ଦ୍ୱାରା ଆଘାତ ପ୍ରାପ୍ତ ହୋଇ ମନ୍ଦିର ଚୁଡାରୁ ତଳକୁ ଖସି ପଡିଥିଲା। ତାପରେ କେତେ ବର୍ଷ ପର୍ଯ୍ୟନ୍ତ ମନ୍ଦିର ଚୁଡାରେ ନୀଳଚକ୍ର ନଥିଲେ ବୋଲି ଐତିହାସିକ ମାନେ ମତ ପ୍ରକାଶ କରନ୍ତି। ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ଵ ୩୩ଅଙ୍କ ମକର ୨୮ଦିନ ପୁନଃ ମନ୍ଦିର ଚୁଡାରେ ନୀଳଚକ୍ର ସ୍ଥାପନ କରା ଯାଇଥିଲା। ଏହା ୧୭୫୧ ମସିହା ଜାନୁଆରୀ ମାସ ୧୬ତାରିଖ ପଡିଥିଲା। ନୀଳଚକ୍ରରେ ବାନାବାନ୍ଧିବା କାର୍ଯ୍ୟ ଚୁନରା ସେବକମାନେ କରିଥାନ୍ତି। ମାଦଳାପାଞ୍ଜି ଓ ଖୋର୍ଦ୍ଧା ଇତିହାସ ବର୍ଣ୍ଣନା ଅନୁଯାୟୀ ପରମାନନ୍ଦ ପଟ୍ଟନାୟକଙ୍କ ପୁଅ ଧରମୁ ହରିଚନ୍ଦନ ମହାପାତ୍ର ନୂଆହୋଇ ଗଢା ହୋଇଥିବା ନୀଳଚକ୍ରକୁ ଦେଉଳ ଉପରେ ସିଧାସଳଖ ଭାବରେ ସ୍ଥାପନ କରିଥିଲେ। ପ୍ରତେକ ଏକାଦଶୀ ଦିନ ରାତିରେ ଶ୍ରୀମନ୍ଦିରର ନୀଳଚକ୍ର ଉପରକୁ ମହାଦୀପ ଉଠେ। ଗରୁଡ଼ ବା ଧ୍ୱଜାବନ୍ଧ ସେବକମାନେ ଶ୍ରୀ ନୀଳଚକ୍ରରେ ଧ୍ଵଜା ବାନ୍ଧିବାସହିତ ମହାଦୀପ ଧରି ଶ୍ରୀମନ୍ଦିର ଉପରକୁ ଯାତ୍ରା କରନ୍ତି। ମହାଦୀପ ଟେକିବାବେଳେ ନୀଳଚକ୍ରକୁ ଚାହିଁ ହରିବୋଲ ପକାଇଥାନ୍ତି। କିମ୍ବଦନ୍ତୀ ଅନୁସାରେ ଦୂରରୁ ନୀଳଚକ୍ରଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ପୁଣ୍ୟ ପ୍ରାପ୍ତି ହୋଇଥାଏ। ସେହି ପରି ନୀଳଚକ୍ର ସହ ପତିତପାବନ ବାନାର ମଧ୍ୟ ରହିଛି ବିଶେଷ ମହତ୍ତ୍ୱ। ପତିତ ମାନଙ୍କୁ ଉଧାର କରିବା ପାଇଁ ମହାପ୍ରଭୁ ବଡଦେଉଳରେ ଉଡା଼ଉଛନ୍ତି ପତିତପାବନ ବାନା। ନୀଳଚକ୍ର ରେ କେବଳ ଲାଲ, ହଳଦିଆ ଓ ଧଳା ରଙ୍ଗର ବାନାହିଁ ଲାଗିଥାଏ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।