ମଣ୍ଡି ଖୋଲିବାରେ ବିଳମ୍ବ, ଅଧା ଦାମରେ ଧାନ ବିକୁଛନ୍ତି ଚାଷୀ ।

0 241

ବୋଲଗଡ଼,୧୩/୧୨(ପିପିଟି):ସରକାରୀ ସ୍ତରରେ ଧାନ କିଣିବା ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ବେପାରୀଙ୍କୁ ଅଧା ଦାମରେ ଅଞ୍ଚଳର ଚାଷୀ ଧାନ ବିକ୍ରି କରୁଛନ୍ତି। ଚଳିତ ଖରିଫ ରୁତୁରେ ଅସି ପ୍ରତିଶତ ଧାନ ଅମଳ ସରିଥିବା ବେଳେ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ବାଧ୍ୟ ହୋଇ ବେପାରୀଙ୍କୁ ଅଧା ଦାମରେ ଧାନ ବିକୁଥିବା ବେଳେ ଚାଷୀମାନଙ୍କ ଅସୁବିଧାର ସୁଯୋଗ ନେଇ ଏବେ ଗାଁଗାଁରେ ଧାନ ବେପାରି ମାନେ ସକ୍ରିୟ ହୋଇ ଉଠିଛନ୍ତି । ଚଳିତ ବର୍ଷ ଆଶାନୁରୂପ ବର୍ଷା ହୋଇଥିବାରୁ ବୋଲଗଡ଼ ଅଞ୍ଚଳର ଚାଷୀଙ୍କ ଅମଳ ବେଶ୍ ଭଲ ହୋଇଛି। ଅନେକ ଚାଷୀ ଅମଳ ଧାନ ରଖିବା ପାଇଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ଖରା ଓ କାକରରେ ଖଳାରେ ଧାନ ପଡି ରହିବା ସହିତ ମୂଷା ଦାଉରୁ ଧାନକୁ ରକ୍ଷା କରି ଚାଷ କାର୍ଯ୍ଯ ପାଇଁ ଆଣିଥିବା ଧାରକରଜରୁ ମୁକ୍ତ ହେବା ପାଇଁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏହାର ଫାଇଦା ଅଞ୍ଚଳର ବେପାରୀମାନେ ଉଠାଉଛନ୍ତି। ଆଗାମୀ ଦିନରେ ମଣ୍ଡି ଖୋଲିବା ନେଇ ବୋଲଗଡ଼ ପ୍ରଶାସନ କହୁଥିବା ବେଳେ ସେଥିରେ ବିଳମ୍ବ ହେଉଥିବାରୁ ଧାନ ଚାଷୀମାନେ ସ୍ଥାନୀୟ ଅଞ୍ଚଳର ଲାଭଖୋର ବେପାରୀଙ୍କ ପାଖରେ ଅଭାବୀ ବିକ୍ରିର ଶିକାର ହେବାକୁ ପଡୁଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମଣ୍ଡି ଶୀଘ୍ର ଖୋଲିବା ସହିତ ଅସାଧୁ ଧାନ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.