***ମଝି ନଈ***

0 10

ଯେତେ ଡଙ୍ଗା ବୁଡିଛି
ସବୁ ମଝି ନଈରେ
ଏଠି ସୁଅ ପ୍ରଖର
ଡଙ୍ଗା ଟଳମଳ…..!!
ଦେଶି ଡଙ୍ଗାରେ
ଗୁଡାଏ ଜୀବନ ନେଇ
ଏପାଖରୁ ସେପାଖକୁ
ପାରି କରିବାର ସଂକଳ୍ପ
ସଂଭାବନା ନେଇ
ନାଉରୀର କାତ ହିଁ ଭରସା…..!!
ଖଣ୍ଡିଏ ବାଉଁଶ ହିଁ କାତ
ସୁଅ ପାଣିରେ ମୋଡ ବଦଳାଏ
ବାରମ୍ବାର ଡଙ୍ଗା
ଭଉଁରୀର ଚକ୍ର ଭେଦି ଶକ୍ତିରେ
ଶକ୍ତି ହୀନ ନାଉରୀ
ଜଳ ଆଗରେ ବଳ ଦୁର୍ବଳ….!!
ମଝି ନଈରେ ଜୀବନ ସଂକଟ
ହୃଦୟ ସ୍ପନ୍ଦନ ବୃଦ୍ଧି
ମୃତ୍ୟୁର ଆସନ୍ନ ସାମ୍ଭାବ୍ୟରେ
ଈଶ୍ୱର ସ୍ମରଣ
ପାର କରିବାକୁ
ଏ କୂଳରୁ ସେ କୂଳକୁ…..
ନାବିକ- ଏଠି ଦ୍ବିତୀୟ ଈଶ୍ୱର
ପ୍ରତି ମୁହୂର୍ତ୍ତରେ ଅହେତୁକ ଭୟ
ଆଉ ଭୟର ଘନଘଟା…..!!
ଆକାଶରେ କଳାହାଣ୍ଡିଆ ମେଘ
ଝିପିଝିପି ବର୍ଷା….
ଡଙ୍ଗା ଟଳମଳ
ଦଦରା ଡଙ୍ଗାରେ ପାଣି ରନ୍ଧ୍ର
ଭେଦି ଭରି ଦେଉଛି ଶୂନ୍ୟତା
ବୁଡି ଯିବାର ଭୟ
କିଏ କହିଲା:- ଆରେ ହେ ନାଉରୀଆ
ମଝି ନଈ ହେଲା,କାତ ସମ୍ଭାଳ…
ହଁ ଏମିତି ନିତି ଦିନ ବର୍ଷାରେ
ନଈ ଭରେ- ପାଣି ଉଛୁଳେ
ଆଉ କିଏ ଏଠି ପାର ହୁଏ ଦିନକ ପାଇଁ
ଆଉ କିଏ ସବୁ ଦିନ ପାଇଁ
କିନ୍ତୁ ନାଉରୀ
ଭରା ନଈରେ ଏକୂଳରୁ ସେ କୂଳକୁ
ପହଁରି ଯାଏ ନିର୍ଭୟରରେ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.