ଭଞ୍ଜନଗର, ୧୧/୧୧(ପିପିଟି) : ଧାର୍ମିକ କାର୍ତ୍ତିକ ମାସରେ ଭଞ୍ଜନଗର ଭେଜିପୁଟ ବଡ଼ଦାଣ୍ଡ ସାହିରେ ଆଜିଠାରୁ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ୭ଦିନ ବ୍ୟାପି ପୂଜା ଆରମ୍ଭ ହୋଇଛି।ପ୍ରଥମ ଦିବସରେ କର୍ତ୍ତା ଭାବେ ଭଞ୍ଜନଗର ବିଧାୟକ ପ୍ରାଦ୍ୟୁମ୍ନ କୁମାର ନାୟକ ଓ ତାଙ୍କ ଧମପତ୍ନୀ ଉପସ୍ଥିତ ରହି ପ୍ରଭୁଙ୍କ ଆବାହନ ଠାରୁ ସନ୍ଧ୍ୟା ଆଳତୀ ପର୍ଯ୍ୟନ୍ତ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଅବସରରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କୁ ସ୍ୱାଗତ, ପ୍ରାଣ ପ୍ରତିଷ୍ଠା,ହୋମ ଯଜ୍ଞ, ପୂର୍ଣ୍ଣାହୁତି, ଆଳତୀ ଆଦି କାର୍ଯ୍ୟକ୍ରମ ଭେଜିପୁଟ ଯୁବକ ସଂଘର ସଦସ୍ୟମାନଙ୍କ ଦ୍ୱାରା ସୁରୁଖୁରୁରେ ସଂମ୍ପନ୍ନ ହୋଇଥିଲା। ଆସନ୍ତା ୧୪ତାରିଖରେ କାର୍ତ୍ତିକେଶ୍ୱରଙ୍କର ଅନ୍ନଯଜ୍ଞ ଏବଂ ୧୭ତାରିଖରେ ଭଷାଣି କାର୍ଯ୍ୟକ୍ରମ ପୂଜାକମିଟି ଦ୍ୱାରା ସ୍ଥିର ହୋଇଛି।ଆଜିଠାରୁ ପ୍ରତ୍ୟେକ ଦିନ ଦାତାଙ୍କ ସହଯୋଗରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ସମ୍ପୂର୍ଣ୍ଣ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହେବ।ଗତ କିଛି ବର୍ଷ ବ୍ୟବଧାନରେ ପୁଣିଥରେ ପୂଜା କମିଟି ଦ୍ୱାରା ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଲାଗି ରହିଛି।ଆଜି ପ୍ରଥମ ଦିବସରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ବେଳେ ସନ୍ଧ୍ୟା ଆଳତୀ ସମୟରେ ପ୍ରବଳ ଜନସମାଗମ ହୋଇଥିଲା।ଭେଜିପୁଟ ଗ୍ରାମବାସୀ ଏହି ଧାର୍ମିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)