ଭଞ୍ଜନଗର ,୧୫/୦୩(ପିପିଟି ):ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ହିନ୍ଦୁମାନଙ୍କୁ ଏକାଠି କରି ସେମାନଙ୍କ ଧାର୍ମିକ ଭାବନାକୁ ଜାଗ୍ରତ କରାଇବାକୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟସ୍ଥ ବୁଲାନ ଭାଇ ସେବା ଭବନ ଠାରେ ‘ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ’ ଓଡ଼ିଶା ଶାଖା ପକ୍ଷରୁ ଏକ ବିଶାଳ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩ଶହ ରୁ ଅଧିକ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇ ସଙ୍ଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହାମନ୍ତ୍ରୀ କିଶନ ଭାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସଙ୍ଗଠନର ମୂଳ ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ସମାଜ ପ୍ରତି ଥିବା ଦାୟିତ୍ୱବୋଧ ବିଷୟରେ ନିଜର ମତ ରଖିଥିଲେ। ସଙ୍ଗଠନର ବିଚାରଧାରାକୁ ଜନମାନସରେ ପହଞ୍ଚାଇବା ପାଇଁ ସେ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।
ଓଡ଼ିଶା ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ସମ୍ମିଳନୀରେ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ୍ କରିବା ପାଇଁ ସଂକଳ୍ପ ନିଆଯାଇଛି। ଆଗାମୀ ଦିନରେ କିପରି ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ପ୍ରତି ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପହଞ୍ଚି ପାରିବ, ସେ ନେଇ ବକ୍ତାମାନେ ନିଜର ମତାମତ ପ୍ରଦାନ କରିଥିଲେ। ସଙ୍ଗଠନର ଶକ୍ତି ବୃଦ୍ଧି ଏବଂ ସେବା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଏହି ବୈଠକରେ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଶତାଧିକ କର୍ମକର୍ତ୍ତାଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ସଙ୍ଗଠନର ହିତ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)