ଏବେ ଭାରି ଶୀତ
ସଂଜ ହେଉ ହେଉ
ଧୂଆଁଳିଆ ଦିଗବଳୟ
ପକ୍ଷୀ ମାନେ
ତରବରେ ନୀଡ଼ ବାହୁଡା଼
ସଭିଏଁ ନିରବ…!!
ଆଗତୁରା
ବେଳ ଘଡିଏ ଥାଉଣୁ
ସୂର୍ଯ୍ୟ ଲୁଚି ଯାଉଛି
ପର୍ବତ ଉହାଡରେ…
ବୋଧେ ଶୀତ ସହିତ
ଭିତିରିଆ ଚୁକ୍ତି ନାମା
ଆମକୁ କଲବଲ କରିବାକୁ….!!
ମାଛି ମାଛି ସଂଜରେ
ଗଉଡ ଗାଈ ପଲ ଧରି
ଲେଉଟିଲାଣି ଶୀତ ଡରରେ
ଶୀତ ବୋଲି
ଆଗୁଆ ସଞ୍ଜବତୀ
ଚଉରା ମୂଳେ ଜାଳିଲାଣି ବୋଉ
ହୁଳହୁଳି ଶୁଭୁନି
ଖନି ମାରିଲାଣି ଓଠ….!!
ଶୁଖିଲା ଚେମେଟିଆ ବୁଢ଼ା ବୁଢିଙ୍କୁ
ଶୀତ ଡର ବେଶି
ଦେହରେ ପୁଳେ ମାଂସ
ଦି’ ଖଣ୍ଡ ହାଡ଼ରେ ଜୀବନ
ଧୁଡୁ ଧୁଡୁ ଚମ……
କାଶ ! ସର୍ବନାଶ ର କାରଣ
ଉହ୍ମେଇରେ ନିଆଁ ଜାଳି
ଶେକାଶେକି ଭଲ….!!
ଶୀତୁଆ ସନ୍ଧ୍ୟାର ଜହ୍ନ
ଯେତେ ହସୁ ପଛେ
ଆକାଶରକୁ ଚାହିଁ
ମଧୁର ବିଳାପ କରିବା ଦୁଃସାଧ୍ୟ
ପୂର୍ଣ୍ଣ ଛେଦ ପଡ଼ିଛି
ଗାଇବାକୁ ବିରହ ସଂଗୀତ
ଯଉବନ ତାତି ରେ
ଛଟପଟ ମନ ପ୍ରାଣ
ହେଲେ ଶୀତ ଟା ଭଗାରି…..!!
ଦାମ୍ପତ୍ୟ ଜୀବନ ଭଲ
ଶୀତ ରାତିଟା
ମଧୁର ମହକରେ
ମିଠା ମିଠା ଭାବ ପ୍ରୀତି କରି
ସୁଖଦ ଅନୁଭୂତି ର
କାହାଣୀ ଗପୁ ଗପୁ
ସରିଯାଏ ଶୀତ ରାତି….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)