କାହିଁକି କେଜାଣି ତୋତେ ଦେଖିଦେଲେ
ମରୁରେ ଉଜାଣି ଉଠୁଛି…..
ଥୁଣ୍ଟା ବୃକ୍ଷ ଡାଳେ ସୁଗନ୍ଧିତ ପୁଷ୍ପ
ଫୁଟି ମହ ମହ ବାସୁଛି…..!!
ତୋ ହସରେ ଏତେ ସମ୍ମୋହନ ଅଛି
ଦେଖି ମୁଁ ବିଭ୍ରମ ହେଉଛି….
ତୋ ରୂପ ଦର୍ଶନେ ମନ ପ୍ରାଣ ମୋର
କାହିଁକି ବ୍ୟାକୁଳ ହେଉଛି….!!
କାହିଁକି ତୋ କଥା ଏତେ ମିଠା ମିଠା
କର୍ଣ୍ଣ ଡେରି ଖାଲି ଶୁଣୁଛି….
ତୋତେ ନ ଦେଖିଲେ ଅନ୍ଧାର ଲାଗଇ
ସଂସାରଟା ତୁଛ ଲାଗୁଛି….!!
ତୋ ଚୋରା ଚାହାଣି ମନ ନିଏ କିଣି
ଭାବି ଭାବି ଦିନ ସରୁଛି….
ତୋ ପ୍ରୀତି ପାଇବା ଆଶାରେ ମୁଁ ଆଜି
ପଛେ ପଛେ ତୋର ଧାଉଁଛି….!!
ତୋ ବିନା କାହିଁକି ଲାଗେ ଶୂନ୍ୟ ଶୂନ୍ୟ
ଦିନ ମୋ ଅସର ହେଉଛି…..
କି ମନ୍ତ୍ର କରିଛୁ ପ୍ରାଣ ସଜନୀ ଲୋ
ତୋ ନାମ ଘୋଷି ମୁଁ ମରୁଛି….!!
ଏତେ ଭଲ ତତେ ପାଇଛି ଜୀବନେ
ତୋ ମନ କଥା ମୁଁ ଜାଣି ନି….
ଶୟନେ ସପନେ ଦେଖେ ପ୍ରତି ଛବି
ଆନ ଛବି ନେତ୍ର ଦେଖି ନି…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭