ଭଞ୍ଜନଗର ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।

0 461

ଭଞ୍ଜନଗର, ୧୧/ ୦୨(ପିପିଟି):ଦୀର୍ଘଦିନ ପରେ ଭଞ୍ଜନଗର ପଞ୍ଚାୟତ ସମିତିର ତୃତୀୟ ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢ଼ୀ ବୈଠକରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ପ୍ରଦ୍ଯୁମ୍ନ କୁମାର ନାୟକ, କନ୍ଧମାଳ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼,ଭାରପ୍ରାପ୍ତ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିନନ୍ଦନ ସହ ସ୍ଵାଗତ ଜଣାଇଥିଲେ ।
ଏହା ପରେ ସଭାଧ୍ୟକ୍ଷ ସମସ୍ତ ଜନ ପ୍ରତିନିଧିମାନଙ୍କୁ ସ୍ଵାଗତ ଜଣାଇ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବ ବୈଠକର ବିବରଣୀ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ ପଠନ କରିଥିଲେ । ସଭାରେ ବିଭିନ୍ନ ବିଭାଗରୁ ଯଥା ସହକାରୀ ଯନ୍ତ୍ରୀ ପାନୀୟ ଜଳ ଏବଂ ପରିମଳ ବିଭାଗ, ସ୍ୱାସ୍ଥ୍ୟ ଅଧିକାରୀ,ଗାଲେରୀଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଯନ୍ତ୍ରୀ ବିଦ୍ୟୁତ୍ ଯୋଗାଣ ଓ ସହକାରୀ ଯନ୍ତ୍ରୀ କ୍ଷୁଦ୍ର ଜଳ ସେଚନ ଆଦି ଯୋଗ ଦେଇ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ବିଷୟରେ ସବିଶେଷ ବିବରଣୀ ଦେଇଥିଲେ। ଏହା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ ଏବଂ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବ୍ଲକ ପ୍ରଶାସନ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ସଭା ଶେଷରେ ଅଧ୍ୟକ୍ଷ ନରୀସଭା ନାୟକ ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ପ୍ରତାପ କୁମାର ସାହୁ ଓ ପ୍ରିୟଦର୍ଶିନୀ ମଲ୍ଲିକ ସଂଯୋଜନା କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.