ଭଞ୍ଜନଗର,୦୭/୦୩(ପିପିଟି):. ୧୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନ ଗୁଡ଼ିକ ଚିହ୍ନଟ ପରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯାନବାହନ ଉପରେ ଅଙ୍କୁଶ ଲଗାଇବାକୁ ପରିବହନ ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ ଭଞ୍ଜନଗର-ବ୍ରହ୍ମପୁର ଜାତୀୟ ରାଜପଥର ମୋଟ ୧୧ ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ କ୍ୟାମେରା ଲଗାଯାଇଛି। ଯାହାକି ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଉପରେ ନଜର ରଖିବା ସହ ଅପରାଧୀଙ୍କ ଗତିବିଧି ବିଷୟରେ ବି ଜାଣିହେବ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ ପରେ ସମସ୍ତ ୧୧ଟି ଯାକ ସ୍ଥାନରେ କ୍ୟାମେରା ଲାଗିସାରିଛି।
ବର୍ତ୍ତମାନ ଭଞ୍ଜନଗର ଠାରୁ ବ୍ରହ୍ମପୁର ମଧ୍ୟରେ ୧୧ ଟି ସ୍ଥାନରେ କ୍ୟାମେରା ଲାଗିଛି। ଏସ୍ ଏଟିଏ (ଷ୍ଟେଟ୍ ଟ୍ରାନ୍ସପୋର୍ଟ ଏଜେନ୍ସି) ଦ୍ଵାରା ସିଧାସଳଖ ଏହି ସମସ୍ତ ସ୍ଥାନର କ୍ୟାମେରାକୁ ମନିଟରିଂ କରାଯାଉଛି। ଇଣ୍ଟିଗ୍ରେଟେଡ୍ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମରେ ଏସଟିଏ ଭିସିଆର୍ କରିବ। ବେପରୁଆ ଗାଡ଼ି ଚାଳନା, ବିନା ହେଲମେଟରେ ଗାଡ଼ି ଚାଳନା, ଭୁଲ୍ରାସ୍ତାରେ ଗାଡ଼ି ଚାଳନା ଓ ଦ୍ରୁତ ଗତି ଉପରେ ଏହି କ୍ୟାମେରା ନଜର ରଖିବ। ଏହା ସହ ସମସ୍ତ ବର୍ଗର ଯାନବାହନ ଉପରେ ମଧ୍ୟ ଏହି କ୍ୟାମେରା ଦ୍ବାରା ନଜର ରଖାଯିବ। ଯାତ୍ରୀବାହୀ, କମର୍ସିଆଲ ଓ ବେସରକାରୀ ଗାଡ଼ିର ସର୍ବାଧିକ ଗତିକୁ ପରିବହନ ବିଭାଗ ସ୍ଥିର କରିବ ବୋଲି ଜଣାପଡ଼ିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)