ଭଞ୍ଜନଗର, ୨୦/୧୦(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପାଇଁ ଚଳିତ ଓଡ଼ିଶା ଲୋକ ସେବା ଆୟୋଗ ପରୀକ୍ଷାରେ ୩ଜଣ ଉତ୍ତୀର୍ଣ୍ଣ ହୋଇ ଗୌରବ ଆଣି ଦେଇଛନ୍ତି। ଭଞ୍ଜନଗର କାହ୍ନୁ ରାଉତ ସାହିର କେ. କାର୍ତ୍ତିକ ଦୋରା ଓଏଏସ ପରୀକ୍ଷାରେ ୩୬୦ ତମ ସ୍ଥାନରେ ଉତ୍ତୀର୍ଣ୍ଣ କରିଛନ୍ତି। କାର୍ତ୍ତିକଙ୍କ ବାପା ଦିବଙ୍ଗତ କେ. ସୂର୍ଯ୍ୟପ୍ରସାଦ ଦୋରା ଜଣେ ସଫଳ ବ୍ୟବସାୟୀ ହିସାବରେ ଗତ ୨୦୦୪ ମସିହାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ କାର୍ତ୍ତିକ ଭୁବନେଶ୍ୱରରେ ରହୁଥିବା ବେଳେ ଅନ୍ୟ ଦୁଇ ବଡ଼ ଭାଇ ଭଞ୍ଜନଗରରେ ରହୁଛନ୍ତି। ସେ ଦିଲ୍ଲୀ ୟୁନିଭରସିଟିରୁ ଏଲ୍ଏଲ୍ବି ପାଠ ପଢିବା ପରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭଞ୍ଜନଗରରେ ଏକ ଘରୋଇ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଯୁକ୍ତଦୁଇ ବ୍ରହ୍ମପୁରର ଏକ ଘରୋଇ କଲେଜରେ ପଢିଥିଲେ। ଏହାପରେ ସେ ହିଞ୍ଜିଳିକାଟୁ ବିଜ୍ଞାନ କଲେଜରେ ଗଣିତ ବିଭାଗରେ ସ୍ନାତୋକତ୍ତର କରିବା ପରେ ଅଧିକ ପାଢ ପଢିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ଆଇନଜୀବୀ ପଢିବା ସମୟରେ କଲେଜ ଲିଗାଲ୍ ସର୍ଭିସେସ ମୁଖ୍ୟ ଭାବେ କିଛି ଦିନ କାର୍ଯ୍ୟ କରିବା ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ସେଠାରେ କିଛି ବର୍ଷ ଆଇନଜୀବୀ ଅଭ୍ୟାସ କରିଥିବା ବେଳେ ଅନ୍ୟ ଚାକିରୀ ସନ୍ଧାନରେ ମଧ୍ୟ ବ୍ୟସ୍ତ ରହିଥିଲେ। ଏହାପରେ ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ୨ଥର ଅକୃତକାର୍ଯ୍ୟ ରହିବା ପରେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ତୃତୀୟ ଥର ଚେଷ୍ଟାରେ ସେ ଏଭଳି ସଫଳତା ପାଇଥିବା ପ୍ରକାଶ କରିଛନ୍ତି। ଆଗକୁ ସେ ୟୁପିଏସ୍ସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ବେଳେ ବର୍ତ୍ତମାନ ତୃଣମୂଳ ସ୍ତରରେ ରହିଥିବା ଲୋକଙ୍କୁ ସେବା ଦିଗରେ ପ୍ରାଥମିକତା ଦେଇ କାମ କରିବି ବୋଲି ପ୍ରକାଶ କରିଛନ୍ତି।ତାଙ୍କର ଏହି ସଫଳତା ଭଞ୍ଜନଗର ପାଇଁ ଗୌରବ ଆଣିଥିବାରୁ ତାଙ୍କ ପରିବାରବର୍ଗ, ବନ୍ଧୁ ବନ୍ଧବ,ଶୁଭେଛୁ ଓ ସହରର ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ରିପୋର୍ଟ- (ଜେ. କେ ପଟ୍ଟନାୟକ)