ଭଞ୍ଜନଗର, ୧୫/୦୮(ପିପିଟି ):ଭଞ୍ଜନଗର ସ୍ଥିତ ଜେଲ ପଡ଼ିଆରେ ଆଜି ଉପଖଣ୍ଡସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସ୍ୱାଧୀନତା ପାଇବା ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ, ସେଥି ମଧ୍ୟରେ ଘୁମୁସର ମାଟିର ବିପ୍ଲବୀ ବୀର ଦୋହରା ବିଷୋୟୀ ଓ ଚକରା ବିଷୋୟୀ ଭଳି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗଣତନ୍ତ୍ରର ମୂଲ୍ୟବୋଧର ବିକାଶ ଲାଗି ସମସ୍ତ ନାଗରିକମାନଙ୍କ କର୍ତ୍ତବ୍ୟ ରହିଛି। ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଗରୀମାରେ ଗରୀୟାନ ତଥା ଓଡ଼ିଶାର ଏକ ପ୍ରମୁଖ ଭୂଖଣ୍ଡ ଭାବେ ଭଞ୍ଜନଗର ଯାହାକି ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି। ଉପଖଣ୍ଡ ପ୍ରଶାସନ ତଥା ରାଜସ୍ବ ବିଭାଗ ସବୁବେଳେ ଭଞ୍ଜନଗରବାସୀଙ୍କ ସହିତ ରହିଛି। ଭଞ୍ଜନଗର ଉପଖଣ୍ଡରେ କୃଷି,ଶିକ୍ଷା,ସ୍ଵାସ୍ଥ୍ୟ ଓ କୃଷକର ଉନ୍ନତି, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ନିଜ ଭାଷଣ ରେ କହିଥିଲେ। ଏହାପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ର,ଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନିତ ଅତିଥିଭାବେ ଅତରିକ୍ତ ଆରକ୍ଷୀ ଅଧୀକ୍ଷିକ ରଞ୍ଜନ କୁମାର ଦେ,ଏସ.ଡ଼ି.ପି.ଓ. ଡ଼ଃ ଦୀପକ କୁମାର ମିଶ୍ର,ଭଞ୍ଜନଗର ଵି ଡି ଓ ଭାରତୀ ଦେବୀ,ଡେପୁଟି କଲେକ୍ଟର ସୁମନ ଘୋଷ,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର ,ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବଂଧୁ ମହାପାତ୍ର, ପୂର୍ବତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଏବଂ ସମସ୍ତ ସାମ୍ବାଦିକ ଗଣଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଆଜି ପ୍ରାତଃ ୫ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ ପରେ ଜାତୀୟ ପତାକା ଉତ୍ତୋଳନ ପରେ ଭଞ୍ଜନଗର ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ପ୍ରଦାନ ସହ, ଚିଦାନନ୍ଦ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ ଏବଂ ଶେଷରେ ତନରଡ଼ା ସ୍ଥିତ ଜରାଶ୍ରାମରେ ମଧ୍ୟ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସଂଯୋଜନା କରିଥିବାବେଳେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ କୁମାର ପାତ୍ର ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ବିଭାଗୀୟ ବରିଷ୍ଠ କର୍ମଚାରୀ ତାରିଣୀ ସାହୁ ଓ ପଦ୍ମ ଚରଣ ନାୟକ ସହଯୋଗ କରିଥିଲେ ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)