ଭଞ୍ଜନଗର, ୦୧/୦୯(ପିପିଟି): ଭଞ୍ଜନଗର ଠାରୁ ସିମାଞ୍ଚଳକୁ ଓଏସଆରଟିସିର ସରକାରୀ ବସ୍ ଚଳାଚଳ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା।ହେଲେ ଏହାକୁ ଓଏସଆରଟିସିର କୌଣସି ଅଧିକାରୀ ଗୁରୁତ୍ୱ ନଦେବାରୁ ବସ ଟି ଦୀର୍ଘଦିନ ହେଲା ଗ୍ୟାରେଜ ରେ ପଡ଼ି ରହିଥିଲା। ଶେଷରେ ବାଧ୍ୟହୋଇ ଶୁକ୍ରବାର ଠାରୁ ଏହି ବସ ସେବା ଆରମ୍ଭ ହୋଇଛି।ପ୍ରଥମ ଦିନରେ ୭ଜଣ ଯାତ୍ରୀଙ୍କୁ ନେଇ ଏହି ବସ ସିମାଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।ବସ୍ ଟି ଭଞ୍ଜନଗରରୁ ସନ୍ଧ୍ୟା ୭ ଟାରେ ବାହାରି ଆସିକା,ବ୍ରହ୍ମପୁର, ପଲାସା ଓ ଶ୍ରିକାକୁଲମ ଦେଇ ପରଦିନ ସକାଳ ୫ ଟାରେ ସିମାଞ୍ଚଳ ରେ ପହଞ୍ଚିବ।ସେଠାରୁ ପୁଣି ସେହି ଦିନ ସନ୍ଧ୍ୟା ୭ ଟାରୁ ବାହାରି ପର ଦିନ ସକାଳ ୫ଟା ସମୟରେ ଭଞ୍ଜନଗରରେ ପହଞ୍ଚିବ ବୋଲି ଜଣାପଡ଼ିଛି।ଭଞ୍ଜନଗର ଠାରୁ ସିମାଞ୍ଚଳ ବସ୍ ଭଡ଼ା ୪୫୦ ଟଙ୍କା ରହିଛି।ସେହିଭଳି ବିଶାଖାପାଟଣା କୁ ବସ ଭଡ଼ା ୪୨୫ ଟଙ୍କା ରହିଛି।ହେଲେ ପ୍ରଚାର ଓ ପ୍ରସାର ଅଭାବରୁ ଯାତ୍ରୀମାନେ ଏସମ୍ପର୍କରେ ଅବଗତ ନାହାନ୍ତି।ଏସମ୍ପର୍କରେ ଦୀର୍ଘଦିନ ହେଲା ଦାବି ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ସାମୁହିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଶେଷରେ ଏହି ବସ୍ ଚଳାଚଳ ହେବା ଦ୍ବାରା ଗଞ୍ଜାମ ଜିଲ୍ଲାର ବହୁ ଯାତ୍ରୀ ସମେତ ତିର୍ଥଯାତ୍ରୀ ଉପକୃତ ହୋଇପାରିବେ।ସେହିଭଳି ସ୍ବାସ୍ଥ୍ୟ ଗତ ସମସ୍ୟା କୁ ନେଇ ବିଶାଖାପାଟଣା କୁ ଯାଉଥିବା ଓଡ଼ିଶାର ବହୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହା ଦ୍ବାରା ବହୁ ସୁବିଧା ପାଇବେ ବୋଲି ଜଣାପଡ଼ିଛି।ହେଲେ ସରକାର ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳାରୁ କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନଥିବା ଜଣାପଡିଛି।
ରିପୋର୍ଟ-ଜେ କେ ପଟ୍ଟନାୟକ