ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ।

0 303

ଭଞ୍ଜନଗର,୦୭/୦୬(ପିପିଟି): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶନିବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ବିଭାଗୀୟ ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରଥମେ ମେଡିକାଲର ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ। ପରେ ମେଡିକାଲ ର ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି। ସ୍ୱାସ୍ଥ୍ୟ ସେବା ପରିଚାଳନା ସମ୍ପର୍କିତ ସମୀକ୍ଷା ବୈଠକରେ, ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭଳି ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଏହି ହସ୍ପିଟାଲର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏହାର ଭିତ୍ତିଭୂମିର ବିକାଶ, ମାନବ ସମ୍ବଳ, ଆଧୁନିକ ଉପକରଣ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ପାଇଁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ, ଏଥିପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ ଅଟନ୍ତି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଭବାନୀ ଶଙ୍କର ମିଶ୍ର ପ୍ରଥମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ। ଏହା ସହ ଭିତିଭୂମି ଓ ଡାକ୍ତର ସମେତ କର୍ମଚାରୀ ପଦବୀ ପୁରଣ ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯଥାଶୀଘ୍ର ଡାକ୍ତର ପଦବୀ ପୁରଣ ସହ ମେଡିକାଲରେ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିଜ ପ୍ରତିକ୍ରିୟା କହିଥିଲେ।ସେହିପରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ସିତାଂଶୁ ଶେଖର ଶତପଥି ମେଡିକାଲ ର ଭିତ୍ତିଭୁମି ବାବଦରେ ମତ ରଖିବା ସହ ମେଡିକାଲ ପାଇଁ ଆବଶ୍ୟକ ଯନ୍ତ୍ରପାତି,କର୍ମଚାରୀ ପଦବୀ ପୁରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସ୍ବାଗତ ଅଭିଭାଷଣ ରଖିଥିଲେ। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ଜେ.କେ.ପଟ୍ଟନାୟକ)

Leave A Reply

Your email address will not be published.