ଭଞ୍ଜନଗର, ୧୫/୦୯(ପିପିଟି): ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭଞ୍ଜନଗର ବ୍ଲକରେ ଘରେ ଘରେ ସୁଭଦ୍ରା ସମ୍ପର୍କିତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।ତେଣୁ ମହିଳାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଭଞ୍ଜନଗର ଗୋଷ୍ଠି ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ, ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା,ଏନଏସି ଓଏଲଏମ ସମୀର କୁମାର ପାଢୀ, ସିଡ଼ିପିଓ ମିଲିମା କୁମାରୀ ପଣ୍ଡା,ବିପିସି ପୁଷ୍ପାଞ୍ଜଳି ନାହାକଙ୍କ ଉପସ୍ଥିତିରେ ବ୍ଲକ ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ମହିଳାମାନେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ କୃଷକ ବଜାର, ମହାବୀର ଛକ, ବସ ଷ୍ଟାଣ୍ଡ,ତହସିଲ ଅଫିସ ଛକ ଦେଇ ବ୍ଲକ ମିଶନ ଶକ୍ତି ଭବନରେ ପହଞ୍ଚିଥିଲା।ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଅତିଥିମାନେ ଯୋଗ ଦେଇଥିଲେ।ସୁଭଦ୍ରା ଯୋଜନାର ଲକ୍ଷ ଓ ଉଦ୍ଦେଶ୍ୟରେ ସମ୍ପର୍କରେ ଆଲୋଚନା କରିବା ସହ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ମହିଳାମାନେ ପ୍ରତିବର୍ଷ ୧୦ହଜାର ଟଙ୍କା ସହାୟତା ରାଶି ୫ବର୍ଷ ପର୍ଯ୍ୟନ୍ତ ପାଇପାରିବେ।ଏହି ଅର୍ଥକୁ ନିଜ ଜୀବନ ଜୀବିକା କ୍ଷେତ୍ରରେ ଲଗାଇ କିଭଳି ଉପକୃତ ହୋଇପାରିବେ ଏବଂ କିଭଳି ଆବେଦନ କରିବେ ସେ ସମ୍ପର୍କରେ ନିଜର ମତାମତ ଦେଇଥିଲେ।ଏଥିରେ ଅଙ୍ଗନବାଡ଼ି କର୍ମଚାରୀ, ଆଶା କର୍ମୀ ଓ ଏସଏଚଜିର ମହିଳାମାନେ ଯୋଗ ଦେଇଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)