ଭଞ୍ଜନଗରରେ ବିଜେଡ଼ି ନିଷ୍କ୍ରିୟ; ବିଜେପି ମହା ମିଶ୍ରଣ ପର୍ବରେ ବହୁ ନେତା ଓ କର୍ମୀ ସାମିଲ ।

0 469

ଭଞ୍ଜନଗର, ୨୨/୧୦(ପିପିଟି ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ହେଉଛି ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ।ଗତ ୩୦ବର୍ଷ ହେଲା ବିଜୁ ଜନତା ଦଳ ରାଜନୈତିକ କ୍ଷେତ୍ରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା।ଯାହା ଫଳରେ ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ଆରୁଖ ଜଣେ ଟାଣୁଆ ନେତା ହିସାବରେ ବିଜେଡ଼ି ସରକାର ଅମଳରେ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହିବା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ପଦବୀ ହାସଲ କରିଥିଲେ।ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ବିଜେଡ଼ିର କିଛି ତୁଙ୍ଗ ନେତାଙ୍କ ଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ।ହେଲେ ଗତ ୨୦୨୪ ନିର୍ବାଚନରେ ବିଜେଡ଼ି ପରାଜିତ ହେବା ପରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି।ବର୍ତ୍ତମାନ ସମୟରେ ଏଠାରେ ବିଜେଡ଼ି ନେତୃତ୍ୱହୀନ ହୋଇ ପଡ଼ିଛି।ଆଉ ଏଠାରେ ବିଜେଡ଼ିର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ବହୁ ବିଜେଡ଼ି ନେତା ଓ କର୍ମୀମାନେ ଦଳ ପ୍ରତି ମୋହ ତୁଟାଇ ଅନ୍ୟ ଦଳ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।ଆଜି ଭଞ୍ଜନଗର ଜଳସମ୍ପଦ ଡାକ ବଙ୍ଗଳା ପଡିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ବ୍ଲକ୍ ର ବିଭିନ୍ନ ପଞ୍ଚାୟତର ବିଜେଡ଼ି ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ଆଜି ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ବିଜେପି ଜିଲ୍ଲା ସଭାପତି ନୀଳ ମାଧବ ପାତ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ।ସେମାନଙ୍କୁ ଭଞ୍ଜନଗର ବିଜେପି ପକ୍ଷରୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେଥି ମଧ୍ୟରେ ଭଞ୍ଜନଗର ଏନଏସିର ପୂର୍ବତନ ବିଜେଡ଼ି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ବହୁ ପୂର୍ବତନ କାଉନସିଲର,ହରିଗଡ଼, ଗାଲେରୀ, ବାରୁଡ଼ା, ବ୍ରାହ୍ମଣ ପଦରର ସରପଞ୍ଚ, ସମିତି ସଭ୍ୟ ଓ ହଜାର ହଜାର ସଂଖ୍ୟକ କର୍ମୀମାନେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱ ଓ ଆଚାର ବ୍ୟବହାରରେ ସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।ଆଗାମୀ ଦିନରେ ମଧ୍ୟ ଆଉ କିଛି ନେତା ଓ କର୍ମୀମାନେ ସାମିଲ ହେବେ ବୋଲି ଜଣାପଡିଛି। ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ୍ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.